fbpx

ମାହାଳରୁ ୬ ଫୁଟର ମୃତ ‘ସ୍ପିନର୍’ ଡଲଫିନ୍ ଉଦ୍ଧାର, ବନ ବିଭାଗର ତନାଘନା

ପାରାଦୀପ(ଓଡ଼ିଶା ଭାସ୍କର): ପାରାଦୀପ ଉପକଣ୍ଠ ଢିଙ୍କିଆ ପଞ୍ଚାୟତ ଅନ୍ତର୍ଗତ ମାହାଳ ଗ୍ରାମ ନିକଟରୁ ଏକ ମୃତ ଡଲଫିନ୍ ଉଦ୍ଧାର ହୋଇଛି । ବୋସ୍କାଲିସ୍ ପଏଣ୍ଟ୍ ସମୁଦ୍ର କୂଳରୁ ଉଦ୍ଧାର ହୋଇଥିବା ବିରାଟକାୟ ମୃତ ଡଲଫିନ୍ ‘ସ୍ପିନର୍’ ପ୍ରଜାତିର ବୋଲି ଜଣାପଡ଼ିଛି ।

ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବାବେଳେ ଏହି ମୃତ ଡଲଫିନଟିକୁ ଦେଖିଥିଲେ । ଏନେଇ ବନବିଭାଗକୁ ଖବର ଦେବା ପରେ ଟିମ୍ ପହଞ୍ଚି ମୃତ ଡଲଫିନ ଉଦ୍ଧାର କରିଥିଲେ । ଏହାର ଲମ୍ବ ୫ ଫୁଟ ୭ ଇଞ୍ଚ ହୋଇଥିବାବେଳେ ଓଜନ ପ୍ରାୟ ୫୦ କିଲୋଗ୍ରାମ ରହିଛି । ଏହାର ପେଟଭାଗ ଧଳା ଏବଂ ଶରୀରର ଉପର ଅଂଶ ସମ୍ପୂର୍ଣ୍ଣ କଳା ରଙ୍ଗ । ଏହି ଡଲଫିନ୍ ‘ସ୍ପିନର’ ପ୍ରଜାତିର ବୋଲି ବନବିଭାଗ ଅନୁମାନ ଲଗାଇଛି । ବିରଳ ପ୍ରଜାତିର ଏହି ଡଲଫିନ୍ ସାଧାରଣତଃ ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଏବଂ ଆଟଲାଣ୍ଟିକ୍ ମହାସାଗରରେ ଦେଖାଯାଆନ୍ତି । ପାଣିରୁ ପ୍ରାୟ ୧୦ ଫୁଟ ଉପରକୁ ଘୂରି ଘୂରି ଏହି ଡଲଫିନ ଲମ୍ଫ ମାରୁଥିବାରୁ ଏହାର ନାମକରଣ ସ୍ପିନର ଡଲଫିନ ବୋଲି ଜଣାପଡ଼ିଛି । ଗତ କିଛିଦିନ ତଳେ ଏହି ପ୍ରଜାତିର ଅନ୍ୟ ଏକ ମୃତ ଡଲଫିନ୍ ପାରାଦୀପ ହନୁମାନ ମନ୍ଦିର ପଛପଟ ସମୁଦ୍ର ବେଳାଭୂମିରୁ ଉଦ୍ଧାର ହୋଇଥିଲା । ତେବେ ଏହି ଡଲଫିନ୍ ମୃତ୍ୟୁର କାରଣ କ’ଣ ତାହା ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି ।

Dead Dolphin

Get real time updates directly on you device, subscribe now.