ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଇଂରାଜୀ ନୂଆ ବର୍ଷ ୨୦୨୫ର କ୍ୟାଲେଣ୍ଡର୍ ଲୋକାର୍ପିତ

ଡେସ୍କ୍ କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ; ସାତ ପୃଷ୍ଠା ବିଶିଷ୍ଟ ୱାଲ୍ କ୍ୟାଲେଣ୍ଡରରେ ରଥାରୂଢ଼ ମହାପ୍ରଭୁଙ୍କ ଭବ୍ୟ ଚିତ୍ରମାନ ରହିଛି

ପୁରୀ– ଆଉ ପାଞ୍ଚଟି ଦିନ ପରେ ଆସିବ ନୂଆ ବର୍ଷ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋ ଚିତ୍ର ସମ୍ବଳିତ କ୍ୟାଲେଣ୍ଡର (ଉଭୟ ୱାଲ୍ ଏବଂ ଡେସ୍କ୍) ପ୍ରକାଶ ପାଇଛି । ଆଜି ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବା ପରେ ଆଜି ଲୋକାର୍ପିତ ହୋଇଛି । ଡେସ୍କ୍ କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ ବାଲୁକା କଳା ସ୍ଥାନିତ ହୋଇଛି । ସେହିପରି ସାତ ପୃଷ୍ଠା ବିଶିଷ୍ଟ ୱାଲ୍ କ୍ୟାଲେଣ୍ଡରରେ ରଥାରୂଢ଼ ମହାପ୍ରଭୁଙ୍କ ଭବ୍ୟ ଚିତ୍ରମାନ ସ୍ଥାନିତ ହୋଇଅଛି ।

ତେବେ କେଉଁଠି ମିଳିବ ଏହି ଭବ୍ୟ ତଥା ଦୁର୍ଲଭ କ୍ୟାଲେଣ୍ଡର?

ଇଂରାଜୀ ନୂଆ ବର୍ଷରେ ପୁରୀ ଓ ଭୁବନେଶ୍ୱର ସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଗୁଡିକରେ ଏହି କ୍ୟାଲେଣ୍ଡର ଉପଲବ୍ଧ ହେବ । ଯେଉଁମାନେ ଚାହିଁବେ ଏହି କେନ୍ଦ୍ରରୁ ଏହି କ୍ୟାଲେଣ୍ଡର କିଣିପାରିବେ ।

ଏହି କ୍ୟାଲେଣ୍ଡର ଲୋକର୍ପଣ ଉତ୍ସବ ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର  ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ  ଅତିରିକ୍ତ ମୁଖ୍ୟ ଶାସନ ସଚିବ  ନିକୁଞ୍ଜ ବିହାରୀ ଧଳ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ମାନସ ରଞ୍ଜନ ବାରିକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏବଂ ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ l