fbpx

ଆସନ୍ତାକାଲି ‘ବନକଲାଗି’ ନୀତି: ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଜି ହଜାର ହଜାର ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିଛନ୍ତି । ତେବେ ଦୀର୍ଘ ଦୁଇବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିବା ବେଳେ ଏଥର ଭକ୍ତମାନେ କାଳିଆକୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଛନ୍ତି । ଭକ୍ତମାନେ ଶରଧାବାଲିରେ ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଦର୍ଶନ କରିଛନ୍ତି । ଭକ୍ତମାନେ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରି ନିଜକୁ ଧନ୍ୟ ମନେ କରିଥିଲେ ।

ତେବେ ଆସନ୍ତାକାଲି ଆଷାଢ଼ ଶୁକ୍ଲ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ । ମଧ୍ୟାହ୍ନ ଧୂପ ପରେ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।

ଆଜି ପୁରୀ ଶ୍ରୀମନ୍ଦିରରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସଆଇ) ଟିମ୍ ପହଞ୍ଚି ଯାଞ୍ଚ କରିଥିଲେ । ପୂର୍ବାହ୍ନରେ ଗର୍ଭଗୃହ, ଅନ୍ୟାନ୍ୟ ମୁଖ୍ୟ କୀର୍ତ୍ତିରାଜିର ସୁରକ୍ଷା ନେଇ ଯାଞ୍ଚ ହୋଇଥିଲା । ପ୍ରତିବର୍ଷ ରଥଯାତ୍ରା ସମୟରେ ବୈଷୟିକ ଟିମ୍ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରି ଆବଶ୍ୟକ ମରାମତି କାର୍ଯ୍ୟ କରିଥାନ୍ତି । ତେବେ ଆସନ୍ତା ୧୦ ଦିନ ମଧ୍ୟରେ ଶ୍ରୀମନ୍ଦିର ରୋଷଘର ଚଟାଣର ମରାତି କାର୍ଯ୍ୟ ସମାପନ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.