fbpx

ତୃତୀୟ ମ୍ୟାଚରେ ଟସ ଜିତି ଶ୍ରୀଲଙ୍କାର ବ୍ୟାଟିଙ୍ଗ: ଭାରତୀୟ ଦଳରେ ଇଶାନ କିଶାନଙ୍କ ସମେତ ୪ ପରିବର୍ତ୍ତନ

ଧର୍ମଶାଳା: ଭାରତ-ଶ୍ରୀଲଙ୍କା ତୃତୀୟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଛି ଅତିଥି ଦଳ ଶ୍ରୀଲଙ୍କା । ମ୍ୟାଚରେ ବିଜୟ ସହ ସିରିଜ ଶେଷ କରିବାକୁ ଲକ୍ଷ୍ୟ ରଖିଛି ସିଂହଳୀ ଦଳ । ସେଥିପାଇଁ ଦଳରେ କିଛି ପରିବର୍ତ୍ତନ କରି ମଇଦାନକୁ ଓହ୍ଲାଇଛନ୍ତି ଦାସୁନ ଶନାକା । ତେବେ ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ ଚାନ୍ଦିମାଲଙ୍କ ଆହତରୁ ବାହାରି ଦଳରେ ସ୍ଥାନ ପାଇଛନ୍ତି । ପିଚର ଗତିବିଧିକୁ ନଜରରେ ରଖି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଶ୍ରୀଲଙ୍କାର ଅଧିନାୟକ ।

ସେହିପରି ଭାରତ ମଧ୍ୟ ୪ଟି ବଡ ପରିବର୍ତ୍ତନ ସହିତ ଓହ୍ଲାଇଛି । ଓପନର ଇଶାନ କିଶାନ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ ପଡିଛନ୍ତି । ଅନ୍ୟ ପକ୍ଷରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରାହ ଏବଂ ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ମ୍ୟାଚରେ ବିଶ୍ରାମ ଦିଆଯାଇଛି । ତେବେ ଏମାନଙ୍କ ସ୍ଥାନରେ ରବି ବିଷ୍ଣୋଇ, ଆଭେଶ ଖାନ, ମହମ୍ମଦ ସିରାଜ ଏବଂ କୁଳଦୀପ ଯାଦବଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ରୋହିତ ଶର୍ମା । ତେବେ ଆଜିର ମ୍ୟାଚରେ କିଏ ରୋହିତଙ୍କ ସହ ପାଳି ଆରମ୍ଭ କରିବେ ତାହାକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ । ସଞ୍ଜୁ ସାମସନ କିମ୍ବା ଭେଙ୍କଟେଶ ଆୟର ଦଳ ପାଇଁ ଓପନ କରିପାରନ୍ତି । ସୂଚନା ଯୋଗ୍ୟ ଯେ, ଭାରତ ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୨-୦ରେ ଆଗୁଆ ରହିଛି ।

Get real time updates directly on you device, subscribe now.