fbpx

ରୋହିତଙ୍କ ସହ ‘Mumbai Indians’ ଛାଡ଼ିବେ ଷ୍ଟାର ଖେଳାଳି! ଦଳରୁ ବିଦାୟ ନେଇପାରନ୍ତି ସୂର୍ଯ୍ୟକୁମାର-ବୁମରାହ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଚର୍ଚ୍ଚାର ବିଷୟ ପାଲଟିଛି । ରୋହିତଙ୍କୁ ନେତୃତ୍ୱରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ଏବେ ଟିମରେ ରୋହିତଙ୍କ ନିଷ୍ପତ୍ତିକୁ ସମ୍ମାନ ମିଳୁ ନଥିବା କୁହାଯାଉଛି । କେତେକ ରିପୋର୍ଟ ଅନୁସାରେ ହାର୍ଦ୍ଦିକଙ୍କ ନେତୃତ୍ୱରେ ରୋହିତ ଶର୍ମା ଖୁସି ନାହାନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ଏହି କାରଣରୁ ଚଳିତ ସିଜନ୍ ପରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବା ନେଇ ଚର୍ଚ୍ଚା ଜୋର ଧରିଛି । ହାର୍ଦ୍ଦିକଙ୍କ ନେତୃତ୍ୱରେ ମୁମ୍ବାଇ ଚଳିତ ସିଜନର ୩ଟି ଯାକ ମ୍ୟାଚରେ ପରାଜୟର ସାମନା କରିଛି । ତେଣୁ ବାରମ୍ବାର ବିଫଳତା ପରେ ଟିମ ଏବେ ପୁଣିଥରେ ରୋହିତଙ୍କୁ ଦଳର ଅଧିନାୟକ ପଦ ହସ୍ତାନ୍ତର କରିବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ରୋହିତ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାସହିତ ଆଗାମୀ ସିଜନରୁ ସେ ମୁମ୍ବାଇ ପାଇଁ ଖେଳିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଥିବା କୁହାଯାଉଛି । ତେବେ କେବଳ ରୋହିତ ନୁହେଁ, ତାଙ୍କ ସହ ଅନ୍ୟ କିଛି ଖେଳାଳି ମଧ୍ୟ ଦଳରୁ ଓହରି ଯାଇପାରନ୍ତି ବୋଲି କୁହାଯାଉଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳର ନିରାଶଜନକ ପ୍ରଦର୍ଶନ ପୁଣିଥରେ ରୋହିତ ଶର୍ମାଙକୁ ଅଧିନାୟକ ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ହିଟମ୍ୟାନ ରୋହିତ ଏହାକୁ ପ୍ରତ୍ୟାଖ୍ୟାନ କରିନ୍ତି ଏବଂ ଆଗାମୀ ସିଜନରୁ ମୁମ୍ବାଇ ପାଇଁ ଖେଳିବେନି ବୋଲି କହିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । କିନ୍ତୁ ଏ ନେଇ ରୋହିତ ଶର୍ମା କିମ୍ବା ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ରୋହିତଙ୍କ ସହ ଦଳର ଅଭିଜ୍ଞ ଖେଳାଳି ଯଶପ୍ରୀତ ବୁମରାହଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମୁମ୍ବାଇରୁ ବିଦାୟ ନେଇପାରନ୍ତି । ଆଇପିଏଲ-୨୦୨୫ରୁ ଏହି ୩ ଜଣ ଖେଳାଳିଙ୍କୁ ଅନ୍ୟ ଫ୍ରାଞ୍ଚାଇଜିରୁ କେଳୁଥିବାର ଦେଖିବାକୁ ମିଳିପାରେ । ମୁମ୍ବାଇ ଇଣ୍ଡିଆନ୍ସ ସହ ରୋହିତ ଶର୍ମାଙ୍କର ୧୪ ବର୍ଷ, ସୂର୍ୟ୍ୟକୁମାର ୯ ବର୍ଷ ଏବଂ ବୁମରାହ ୧୨ ବର୍ଷରୁ ଏହି ଦଳରେ ସାମିଲ ରହିଛନ୍ତି ।

ରିପୋର୍ଟ ଅନୁସାରେ ଦଳର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟିମ୍ ମ୍ୟାନେଜମେଣ୍ଟ୍ ସହ ରୋହିତଙ୍କ ମତଭେଦ ଯୋଗୁଁ ସେ ଫ୍ରାଞ୍ଚାଇଜି ଛାଡ଼ିବା ପରି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଡ୍ରେସିଂ ରୁମ୍ର ପରିବେଶରେ ପରିବର୍ତ୍ତନକୁ ଦେଖିଲେ ଲାଗୁଛି ରୋହିତ ପୂର୍ବରୁ ହିଁ ଫ୍ରାଞ୍ଚାଇଜି ଛାଡ଼ିବା ମନ ସ୍ଥିର କରିନେଇଛନ୍ତି । ରୋହିତ ଶର୍ମା ନିଜ ଆଇପିଏଲ୍ କ୍ୟାରିୟରରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୨୦୧ ମ୍ୟାଚ୍ ଖେଳି ୫,୧୧୦ ରନ୍ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ଗୋଟିଏ ଶତକ ଏବଂ ୩୪ ଅର୍ଦ୍ଧଶତକୀୟ ଇନିଂସ୍ ମଧ୍ୟ ସାମିଲ ରହିଛି । ମାତ୍ର ଚଳିତ ସିଜନର ତିନିଟି ମ୍ୟାଚରେ ସେ ମାତ୍ର ୬୯ ରନ୍ କରି ପାରିଛନ୍ତି । ଏଥିରେ ତାଙ୍କର ସର୍ବାଧିକ ସ୍କୋର୍ ୪୩ ରନ୍ ରହିଛି । କିନ୍ତୁ ୨୦୧୩ରେ ଅଧିନାୟକ ପଦ ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୁମ୍ବାଇକୁ ୫ ଥର ଚମ୍ପିଆନ୍ କରାଇଛନ୍ତି ରୋହିତ । ରୋହିତଙକ ନେତୃତ୍ୱରେ ମୁମ୍ବାଇ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ଟାଇଟଲ ହାସଲ କରିବାରେ ସଫଳ ହୋଇଛି ।

Get real time updates directly on you device, subscribe now.