fbpx
BJD SKY
BJD SKY

ଓଲିଉଡକୁ ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର: ରାଜ୍ୟ ଚଳଚ୍ଚିତ୍ର, ଟେଲି ପୁରସ୍କାର ରାଶି ଓ ପୁରସ୍କାର ସଂଖ୍ୟା ବୃଦ୍ଧି ଘୋଷଣା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହା ମଧ୍ୟରେ ଓଲିଉଡକୁ ଏକ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର । ନୂଆବର୍ଷରେ ରାଜ୍ୟ ସରକାର ରାଜ୍ୟ ଚଳଚ୍ଚିତ୍ର, ଟେଲି ପୁରସ୍କାର ରାଶି ଓ ପୁରସ୍କାର ସଂଖ୍ୟା ବୃଦ୍ଧି ଘୋଷଣା କରିଛନ୍ତି । ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏ ସମ୍ପର୍କିତ ଉଚ୍ଚସ୍ତରୀୟ ସୁପାରିଶକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ସୂଚନା ମୁତାବକ, ଏହି ବର୍ଦ୍ଧିତ ପୁରସ୍କାର ରାଶି ଓ ସଂଖ୍ୟା ୨୦୨୦, ୨୦୨୧ ଓ ୨୦୨୨ ୩ ବର୍ଷ ପାଇଁ ୩୨ତମ, ୩୩ତମ ଓ ୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କ୍ଷେତ୍ରରେ ଲାଗୁ ହେବ । ଗତ ଅଗଷ୍ଟ ମାସ ୨୧ ତାରିଖରେ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଚଳଚ୍ଚିତ୍ର ପାଇଁ ଜୁରି କମିଟି ଗଠନ ସମାପ୍ତ ହୋଇଥିବା ବେଳେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତ ସପ୍ତାହରେ ଟେଲି ପୁରସ୍କାର ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ୨୨ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ୨୦୧୦ ପରେ ୨୭ଟି ବିଭାଗକୁ ଏହା ବୃଦ୍ଧି ପାଇଥିଲା । ବର୍ତ୍ତମାନ ତାହା ବୃଦ୍ଧି ପାଇ ୩୩ଟି ବିଭାଗରେ ପହଞ୍ଚିଥିବା ବେଳେ ୬ଟି ବିଭାଗ ମଧ୍ୟରେ ଶ୍ରେଷ୍ଠ ଖଳନାୟକ, ଖଳନାୟିକା, ବେଷ୍ଟ ଫିଲ୍ମ ଫର ହୋଲସମ ଏଣ୍ଟରନେଟମେଣ୍ଟ, ରାଇଟିଂ ଅନ୍ ଓଡ଼ିଆ ସିନେମା, ସ୍ପେଶାଲ ଇଫେକ୍ଟ ଡିଜାଇନର ଆୱାର୍ଡ ରହିଛି । ପୂର୍ବରୁ ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର ପାଇଁ ପୁରସ୍କାର ଦିଆଯାଉଥିବା ବେଳେ ଏବେ ତାହା ୨ଟି ଭାଗ ଶିକ୍ଷାଭିତ୍ତିକ ଓ ଶିଶୁଭିତ୍ତିକ ବିଭାଗରେ ପ୍ରଦାନ କରାଯିବ ।

ଉଭୟ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ସଂଖ୍ୟା ଓ ରାଶି ବଢ଼ିଥିବା ବେଳେ ଜୀବନବ୍ୟାପୀ ସାଧାନ ନିମନ୍ତେ ‘ଜୟଦେବ ପୁରସ୍କର’ ପାଇଁ ଅର୍ଥରାଶି ୫ ଲକ୍ଷକୁ ବୃଦ୍ଧି କରାଯାଇଛି । ୧୯୮୧ ମସିହାର ପ୍ରଥମେ ସ୍ୱର୍ଗତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯାଇଥିଲା । ସେହିପରି ଟେଲି ପୁରସ୍କାର ସଂଖ୍ୟା ପୂର୍ବରୁ ୨୦ ଥିବାବେଳେ ଏବେ ତାହା ୨୯ରେ ପହଞ୍ଚିଛି । ଏବେ ୯ଟି ବିଭାଗରେ ଟେଲି ଫିଲ୍ମ ପୁରସ୍କାର ଦିଆଯିବ । ପୂର୍ବରୁ ରାଜ୍ୟ ଚଳଚ୍ଚିତ୍ର ପାଇଁ ୨୨ଟି ବିଭାଗରେ ଓ ଟେଲି ଫିଲ୍ମ ପାଇଁ ୨୦ଟି ବିଭାଗରେ ପୁରସ୍କାର ଦିଆଯାଉଥିଲା । ତେବେ ସଂଶୋଧନ ପରେ ରାଜ୍ୟ ଚଳଚ୍ଚିତ୍ରର ୩୩ଟି ବିଭାଗରେ ପୁରସ୍କାର ରାଶି ୨୧ ଲକ୍ଷ ୩୦ ହଜାର ଓ ଟେଲି ଫିଲ୍ମରେ ୨୯ଟି ବିଭାଗରେ ପୁରସ୍କାର ରାଶି ୧୧ ଲକ୍ଷ ୭୫ ହଜାର ରହିଛି ।

Get real time updates directly on you device, subscribe now.