ଘାରିଛି ରିଲ୍ସ ନିଶା… ଭ୍ୟୁଜ୍‌ ପାଇଁ ଜୀବନକୁ ନାହିଁ ଖାତିର

ରିଲ୍ସରେ ଭ୍ୟୁ ପାଇବା ପାଇଁ ଯୁବକ କୁସୁଭି ରେଳ ଧାରଣାରେ ଶୋଇ କରିଥିଲେ ଭିଡିଓ। ଗିରଫ କଲା ପୋଲିସ

ଉତ୍ତରପ୍ରଦେଶ: ଆଜିକାଲି ଯୁବପୀଢିଙ୍କୁ ଘାରିଛି ରିଲ୍ସ ନିଶା। କିଛିଟା ଭ୍ୟୁ ପାଇଁ ଜୀବନକୁ ବାଜି ଲଗାଇ ରିଲ୍ସ କରୁଛନ୍ତି ଯୁବପିଢ଼ୀ। ବିପଦପୂର୍ଣ୍ଣ ପରିସ୍ଥିତିରେ ରିଲ୍ସ କରି ସୋସିଆଲ ମିଡିଆରେ କରୁଛନ୍ତି ଟ୍ରେଣ୍ଡ।

ଉତ୍ତରପ୍ରଦେଶ ଉନ୍ନାଓରେ ଘଟିଛି ଏଭଳି ଘଟଣା। ଯୁବକଙ୍କ ରିଲ୍ସ ନିଶା ଛଡ଼େଇ ଦେଇଛି ମାମୁଁ। ରିଲ୍ସ ପାଇଁ ଯୁବକଙ୍କୁ ବାନ୍ଧିଛି ପୋଲିସ। ରିଲ୍ସରେ ଭ୍ୟୁ ପାଇବା ପାଇଁ ଯୁବକ କୁସୁଭି ରେଳ ଧାରଣାରେ ଶୋଇ କରିଥିଲେ ଭିଡିଓ। ଭିଡିଓରେ ଯୁବକଙ୍କ ଉପରେ ଟ୍ରେନ ଯିବାର ମଧ୍ୟ ଦେଖିବାକୁ ମିଳିଛି।

ଭିଡିଓ ସୋସିଆଲ ମିହିଆରେ ଭାଇରାଲ ହେବା ପରେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକଙ୍କ ନାଁ ରଞ୍ଜିତ ଚୌରସିୟା।ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ରେଳ ଆଇନର ଧାରା ୧୫୦ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଉନ୍ନାଓ ରେଳ ଷ୍ଟେସନର ପୂର୍ବ ଭାଗରୁ ରଞ୍ଜିତଙ୍କୁ ଗିରଫ କରାଯାଇଥିଲା।

କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ସୋସିଆଲ ମିଡିଆରେ ନାଁ କମାଇବା ପାଇଁ ଏପରି ବିପଦପୂର୍ଣ୍ଣ କାର୍ଯ୍ୟ ନକରିବାକୁ ରେଳ ପ୍ରଶାସନ ଲୋକଙ୍କୁ ନିବେଦନ କରିଛି। ଜୀବନ ପ୍ରତି ବିପଦ ହେବା ବ୍ୟତୀତ, ଏହା ରେଳ ପରିଚାଳନାରେ ମଧ୍ୟ ବାଧା ସୃଷ୍ଟି କରିପାରେ। ଏହା ଏକ ଆଇନଗତ ଅପରାଧ।