‘Stree-3’ Coming Soon… ପୁଣିଥରେ ଫେରିବ ସରକଟା ଆତଙ୍କ! ଭୟଙ୍କର ରୂପରେ ଆସିବେ ଖିଲାଡି କୁମାର? ଶ୍ରଦ୍ଧା ଦେଲେ ବଡ଼ ଅପଡେଟ

ମୁମ୍ବାଇ: ଚଳିତବର୍ଷ ବ୍ଲକବଷ୍ଟର ସିନେମା ‘ସ୍ତ୍ରୀ-୨’ ଫିଲ୍ମ ଇଣ୍ଡଷ୍ଟ୍ରିରେ ଇତିହାସ ସୃଷ୍ଟି କରିଛି । ସିନେମା ରିଲିଜ ହେବା ପରେ ଓଟିଟିରେ ଧମାଲ କରୁଛି ଏହି ହରର୍-କମେଡି ଫିଲ୍ମ । ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଏହି ଫିଲ୍ମ ଗ୍ଲୋବାଲ ବକ୍ସ ଅଫିସରେ ୮୦୦ କୋଟିରୁ ଅଧିକ ଟଙ୍କା ଆୟ କରିବାରେ ସଫଳ ହୋଇଛି । ଏହାସହିତ ଚଳିତବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ତାଲିକାରେ ଟପ୍ ରେ ପହଞ୍ଚିଛି ସ୍ତ୍ରୀ-୨ । ତେବେ ସିନେମା ହଲ୍ ରେ ଏହି ଫିଲ୍ମ ଦେଖି ପାରି ନଥିବା ଦର୍ଶକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଖୁଶୀଘ୍ର ଏହାର ତୃତୀୟ ପାର୍ଟ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ଏହି ସିନେମାର ନାୟିକା ଶ୍ରଦ୍ଧା କପୁର ।

ଏ ବର୍ଷର ସବୁଠୁ ବଡ଼ ବ୍ଲକବଷ୍ଟର ଫିଲ୍ମ ‘ସ୍ତ୍ରୀ-୨’ ବକ୍ସ ଅଫିସ୍ରେ ପ୍ରାୟ ୬୦୦ କୋଟି ବ୍ୟବସାୟ କରିଛି । ଦର୍ଶକ ଫିଲ୍ମକୁ ଢେର ଭଲପାଇବା ଦେଇଛନ୍ତି । ତେବେ, ନିର୍ମାତା ଫିଲ୍ମର ଶେଷ ସିନରେ ଅନେକ ସସପେନ୍ସ ରଖିଥିବାରୁ ଏହାର ପରବର୍ତ୍ତୀ ସଂସ୍କରଣ ଆସିପାରେ ବୋଲି ଦର୍ଶକ ଅନୁମାନ କରୁଥିଲେ । ଏବେ ଫିଲ୍ମର ମୁଖ୍ୟ ନାୟିକା ଶ୍ରଦ୍ଧା କପୁର ଏକ କାର୍ୟ୍ୟକ୍ରମରେ ‘ସ୍ତ୍ରୀ-୩’ ବିଷୟରେ ସ୍ପଷ୍ଟ କରିଛନ୍ତି । ‘ସ୍ତ୍ରୀ-୩’ ଫିଲ୍ମ ନିର୍ମାଣ କାମ ଆରମ୍ଭ ହୋଇସାରିଛି ବୋଲି ସେ କହିଛନ୍ତି । ଏହି ଖବର ଫ୍ୟାନ୍ସମାନଙ୍କ ଉତ୍ସାହକୁ ବହୁଗୁଣିତ କରିଛି । ଶ୍ରଦ୍ଧା କହିଛନ୍ତି, ନିର୍ଦ୍ଦେଶକ ଅମର କୌଶିକ ‘ସ୍ତ୍ରୀ’ର ୩ୟ ସଂସ୍କରଣ ପାଇଁ କାହାଣୀ ପ୍ରସ୍ତୁତ କରିସାରିଛନ୍ତି । ସ୍ତ୍ରୀ-୨ ଭଳି ସ୍ତ୍ରୀ-୩ର କାହାଣୀ ମଧ୍ୟ ଖୁବ୍ ମଜାଦାର ହେବ ବୋଲି ଆଶାବାଦୀ ରହିଛନ୍ତି ଶ୍ରଦ୍ଧା ।

ଏହି କାର୍ଯ୍ୟକ୍ରମରେ ଶ୍ରଦ୍ଧା କହିଥିଲେ ଯେ, ୨୦୧୮ ମସିହାରେ ସେ ଯେତେବେଳେ ପ୍ରଥମ ଥର ‘ସ୍ତ୍ରୀ’ର କାହାଣୀ ଶୁଣିଲେ, ପୂର୍ବରୁ କେବେ ଏଭଳି କାହାଣୀ ସଂସ୍ପର୍ଶରେ ଆସିନଥିଲେ ବୋଲି ଅନୁଭବ କଲେ । କାହାଣୀ ଏକ ସହରୀ କିମ୍ବଦନ୍ତୀ ଉପରେ ପର୍ୟ୍ୟବେଶିତ ଥିଲା, ଯାହା ହହର୍ ଏବଂ କମେଡିରେ ଭରପୂର ରହିଥିଲା । ଫିଲ୍ମର ସିନ୍, ଡାଇଲଗ୍ ଶୁଣି ସେ ହସ ଅଟକାଇ ପାରିନଥିଲେ । ତାଙ୍କ ଚରିତ୍ର ଜଣେ ରହସ୍ୟମୟୀ ଝିଅର, ଯାହାକୁ ଶୁଣିବା ପରେ ସେ ଖୁବ୍ ଉତ୍ସାହିତ ହୋଇଥିଲେ । ଫିଲ୍ମକୁ ଯେଉଁଭଳି ଭଲପାଇବା ମିଳିଲା, ତାକୁ ଦେଖି ସିକ୍ୱେଲ ପ୍ରସ୍ତୁତ କରିବାକୁ ନିର୍ମାତା-ନିର୍ଦ୍ଦେଶକ ନିଷ୍ପତ୍ତି ନେଲେ । କାହାଣୀ ସହ ଏଡିଟିଂ ଏବଂ ଚମତ୍କାର ଅଭିନୟ ଯୋଗୁଁ ‘ସ୍ତ୍ରୀ-୨’ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଛି । ଏବେ ‘ସ୍ତ୍ରୀ-୩’ର ନିର୍ମାଣ କାର୍ଯ୍ୟ ଆରମ୍ଭହୋଇଥିବା ବେଳେ ଏହା ମଧ୍ୟ ରେକର୍ଡ ସୃଷ୍ଟି କରିବ ବୋଲି ଆଶାବାଦୀ ରହିଛନ୍ତି ଶ୍ରଦ୍ଧା ।

ତେବେ ଏହି ଫିଲ୍ମରେ ଅନେକ କିଛି ନୂଆ ଦେଖିବାକୁ ମିଳିପାରେ । ସ୍ତ୍ରୀ-୨ ଶେଷରେ ଅକ୍ଷୟ କୁମାରଙ୍କ କ୍ୟାମିଓ ରୋଲରୁ ଜଣାଯାଉଛି ଯେ, ସେ ସ୍ତ୍ରୀ-୩ ସିନେମାରେ ଏକ ଭୟଙ୍କର ରୂପରେ ଫେରିପାରନ୍ତି । ସ୍ତ୍ରୀ-୩ ଫିଲ୍ମରେ ତାଙ୍କୁ ଖଳନାୟକର ଭୂମିକାରେ ଦେଖିପାରନ୍ତି ଦର୍ଶକ । ଏହାବ୍ୟତୀତ ସ୍ତ୍ରୀ-୨ରେ ରହି ଯାଇଥିବା ଆହୁରି ଅନେକ କିଛି ସସପେନ୍ସ ଏହାର ଆଗାମୀ ପାର୍ଟରେ ଦେଖାଇବାକୁ ଚେଷ୍ଟା କରିପାରନ୍ତି ଚଳଚ୍ଚିତ୍ର ନିର୍ମାତା । ସ୍ତ୍ରୀ-୨ରେ ‘ସରକଟା ଆତଙ୍କ’କୁ ନଷ୍ଟ କରିବା ପରେ ସ୍ତ୍ରୀ-୩ରେ ଏହାକୁ ମିସ୍ କରିପାରନ୍ତି ଦର୍ଶକ । କାରଣ ସ୍ତ୍ରୀ-୩ ପାଇଁ ଆହୁରି କିଛି ନୂଆ ଏବଂ ମଜାଦାର ଚରିତ୍ର ସାମିଲ କରାଯାଇପାରେ ।

Get real time updates directly on you device, subscribe now.