fbpx

ଛାତ୍ରଙ୍କୁ ଗୋଡ଼ାଇଗୋଡ଼ାଇ ପିଟିଲେ ଅଣଛାତ୍ର, ହୋହାଲ୍ଲା ଓ ପଥର ମାଡ଼ରେ ରଣକ୍ଷେତ୍ର ପାଲଟି ଗଲା ମୁଖ୍ୟରାସ୍ତା

ଓଡିଶା ଭାସ୍କର; କଳିଙ୍ଗ‌ ଷ୍ଟାଡିୟମରେ ଚାଲିଥିବା ଇଣ୍ଡିଆନ୍‌ ସୁପରଲିଗ ଫୁଟବଲ୍‌ ମ୍ୟାଚ୍‌ ଦେଖି ଫେରୁଥିବା ବେଳେ ଛାତ୍ରଙ୍କୁ ଗୋଡ଼ାଇଗୋଡ଼ାଇ ପିଟିଲେ ଅଣଛାତ୍ର । ଅଣଛାତ୍ରଙ୍କ ଆକ୍ରମଣ ଯୋଗୁଁ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପାଖାପାଖି ୧୦ଟା ସମୟରେ ରିଜିଓନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେସନ୍‌ ସମ୍ମୁଖ ମୁଖ୍ୟରାସ୍ତାରେ ହୋହାଲ୍ଲା ଶୁଣିବାକୁ ମିଳିଥିଲା । କିଛି ଅଣଛାତ୍ର ହାତରେ ଠେଙ୍ଗା, ବହ୍ଲା ଧରି ଛାତ୍ରମାନଙ୍କୁ ଗୋଡ଼ାଗୋଡ଼ି କରୁଥିବା ଦେଖିବାକୁ ମିଳିଥିଲା । ଯିଏ ହାବୁଡ଼ରେ ପଡ଼ିଲା ତାକୁ ନିର୍ଘାତ ପିଟୁଥିବା କୁହାଯାଉଛି । ତେବେ ଏଭଳି ପରିସ୍ଥିତିରେ ରାସ୍ତା କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା। ହୋହାଲ୍ଲା ସହ ଘଟଣା ସ୍ଥଳରେ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ଏହା ପରେ ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତ ଛାତ୍ରଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲା । ସେହିପରି ଘଟଣାସ୍ଥଳରୁ ଛାତ୍ରମାନେ କାବୁ କରିଥିବା ଜଣେ ଯୁବକକୁ ପୁଲିସ ଅଟକ ରଖିଛି। ଅନ୍ୟମାନଙ୍କୁ ଚିହ୍ନଟ ପାଇଁ ପୁଲିସ ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ଏହା ସହ ପୋଲିସ ଘଟଣାର ସତ୍ୟତା ସନ୍ଧାନ କରୁଥିବା ଜଣାପଡିଛି ।

Get real time updates directly on you device, subscribe now.