fbpx

ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’: ମାର୍ଚ୍ଚ ୫ରୁ ଆରମ୍ଭ ହେବ ପଞ୍ଜିକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ମାଗଣା ପୋଷାକ ପ୍ରଦାନ, ଶିକ୍ଷକ ପୁରସ୍କାର, ଲାପଟପ୍ ପ୍ରଦାନ, ଛାତ୍ରବୃତ୍ତି ଆଦି ଅନେକ ଯୋଜନା ଲାଗୁ କରିଛନ୍ତି । ତେବେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ମିଳିବ ‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’ । ଏହା ଏକ ପଏଣ୍ଟ ସିଷ୍ଟମ ଆଧାରିତ ସ୍ମାର୍ଟ କାର୍ଡ ହୋଇଥିବା ବେଳେ ଏହା ଛାତ୍ରଛାତ୍ରୀଙ୍କର ଶୈକ୍ଷିକ ବିକାଶ, ବ୍ୟକ୍ତିତ୍ୱ ବିକାଶ, ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସହାୟକ ହେବ ।

ଏହି ମ୍ୟାଜିକ କାର୍ଡ ଆବେଦନ ପାଇଁ ମାର୍ଚ୍ଚ ୫ ତାରିଖରୁ ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖରେ ଅର୍ଥାତ ସ୍ୱାଧୀନତା ଦିବସ ଅବସରରେ ତାହାକୁ ବଣ୍ଟନ କରାଯିବ । ଏହି ଡିଜିଟାଲ ସୁବିଧା ଯୁବପୀଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ସହିତ ସେମାନଙ୍କୁ ଉତ୍ସାହିତ ଓ ସଶକ୍ତ କରିବା କ୍ଷେତ୍ରରେ ସହାୟକ ହେବ । ଏଥିସହିତ ଯୁବକଙ୍କ ନିଯୁକ୍ତି ଓ ସଶକ୍ତିକରଣ ଦିଗରେ ତାହା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏନେଇ ଘୋଷଣା କରିଛନ୍ତି ।

ଏହି କାର୍ଡ ‘ସମୃଦ୍ଧିର ପାସପୋର୍ଟ’ ହେବ । ଏହି କାର୍ଡଗୁଡ଼ିକୁ ସ୍ୱର୍ଣ୍ଣ, ରୌପ୍ୟ ଓ ପ୍ଲାଟିନମ ଆଦି ସ୍ତରରେ ବିଭକ୍ତୀକରଣ କରାଯିବ । ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଶିକ୍ଷା କ୍ଷେତ୍ରରେ ଉପସ୍ଥାନ, ଏକ୍ସଟ୍ରା କରିକ୍ୟୁଲାର ଆକ୍ଟିଭିଟି, କ୍ରୀଡ଼ା, ଅନଲାଇନ୍ କୋର୍ସ, ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମ ଆଦି କ୍ଷେତ୍ରରେ ଦକ୍ଷତାକୁ ଆଧାର କରି କାର୍ଡକୁ ବଣ୍ଟନ ଓ ନବୀକରଣ କରାଯିବ । ଓଡ଼ିଆ ଓ ଇଂରାଜୀ ଭାଷା ପାଠ୍ୟକ୍ରମ, ଜାତୀୟ-ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ସମୟରେ ଷ୍ଟାଡିୟମରେ ପ୍ରବେଶ, ଜର୍ଣ୍ଣାଲ ଓ ସେମିନାରେ ପ୍ରବେଶ, ପର୍ଯ୍ୟଟନ ସ୍ଥଳୀରେ ପ୍ରବେଶ ଆଦି କ୍ଷେତ୍ରରେ ଏହି କାର୍ଡ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରିବ । ଏହାବ୍ୟତୀତ ଏହା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସହଯୋଗ ପ୍ରଦାନ କରିବ ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି ।

Get real time updates directly on you device, subscribe now.