fbpx

ଦେଢ଼ ସେମିର ରଥ ଗଢ଼ିଲେ ଶିଳ୍ପୀ ସୁବଳ ମହାରଣା, ରଚିଲେ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭାବାବେଗ ବଢ଼ିଯାଏ । ମହାବାହୁଙ୍କୁ ଦର୍ଶନ କରିବାକୁ ପ୍ରାଣ ବ୍ୟାକୁଳ ହୋଇଉଠେ । ଜଗତର ଠାକୁର କାଳିଆ ସାଆନ୍ତଙ୍କୁ କିଏ କେଉଁ ଭଳି ରୂପ ଦିଏ ଆଉ କିଏ କେଉଁ ନାମରେ ଡାକେ । ସେ ଭକ୍ତବତ୍ସଳ ବଡ଼ଠାକୁର । ଭକ୍ତ ବିନା ସେ ଅଧୁରା । ଅଧାଗଢ଼ା । ଭକ୍ତର ଭାବରେ ସେ ରୂପ-ସ୍ୱରୂପ-ନିରାକାର । ଏଭଳି ତଲ୍ଲୀନ ହୋଇ ଶିଳ୍ପୀ ମଧ୍ୟ ଗଢ଼ିବସେ କାଳିଆର ରଥ । ବିଶ୍ୱର ସବୁଠୁ ବଡ଼ ଯାତ୍ରା ରଥଯାତ୍ରା ଶ୍ରୀକ୍ଷେତ୍ରଧାମ ପୁରୀରେ ହେଉଥିବାବେଳେ ମହାପ୍ରଭୁଙ୍କ ରଥ ଉଚ୍ଚତା ଦୃଷ୍ଟିରୁ କେନ୍ଦୁଝର ଆଗରେ ରହିଛି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱର ସବୁଠୁ କ୍ଷୁଦ୍ର ରଥ ମଧ୍ୟ ରହିଛି ଏହି ପବିତ୍ର ଓଡ଼ିଶା ଭୂମିରେ । ଆଉ ତାକୁ ଗଢ଼ିଛନ୍ତି ଶିଳ୍ପୀ ସୁବଳ ମହାରଣା ।

ବାଲୁକା ଶିଳ୍ପରେ ନିଜର ଚମତ୍କାରିତା ପ୍ରତିପାଦନ କରି ଅନେକ ରେକର୍ଡ ହାସଲ କରିପାରିଥିବା ଶିଳ୍ପୀ ସୁବଳ ରାଜଧାନୀର ୟୁନିଟ୍-୬ କାଳୀମନ୍ଦିର ନିକଟରେ ରୁହନ୍ତି । ଗତବର୍ଷ ସେ ଗଢ଼ିଥିଲେ ବିଶ୍ୱର ସବୁଠୁ କ୍ଷୁଦ୍ର ରଥ । ଯାହାର ଉଚ୍ଚତା ରହିଥିଲା ମାତ୍ର ୨.୩ ସେମି । ଏଥିପାଇଁ ତାଙ୍କୁ ବିଶ୍ୱ ରେକର୍ଡ ଯୋଗ୍ୟତା ମିଳିବା ସହ ରାଶିରାଶି ପୁରସ୍କାର ଓ ସମ୍ମାନ ମିଳିଛି । ତେବେ ଶିଳ୍ପୀ ହୃଦୟର ଭାବ ଆଉ ମହାବାହୁଙ୍କ ଆଶୀର୍ବାଦକୁ ନେଇ ସେ ଚଳିତବର୍ଷ ଗଢ଼ିଛନ୍ତି ଅତି କ୍ଷୁଦ୍ରାତିକ୍ଷୁଦ୍ର ଆଉ ଏକ ରଥ । ଯାହାର ଉଚ୍ଚତା ମାତ୍ର ୧.୫ ସେମି । ଫଳରେ ନିଜ ରେକର୍ଡ ସେ ନିଜେ ଭଙ୍ଗ କରି ଗଢ଼ିବାକୁ ଯାଉଛନ୍ତି ଆଉଏକ କୀର୍ତ୍ତିମାନ ।

Smallest Ratha made by Subala Moharana in 2020
(ଶିଳ୍ପୀ ସୁବଳ ମହାରଣା ୨୦୨୦ରେ ଗଢ଼ିଥିବା ଦେଢ଼ଇଞ୍ଚ ଉଚ୍ଚତାର ରଥ)

ଶିଳ୍ପୀ ସୁବଳଙ୍କ ଏଭଳି ଅନନ୍ୟ ଦକ୍ଷତା ଓ ବିରଳ କୃତିତ୍ୱ ପାଇଁ ବିିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି । ଶିଳ୍ପୀ-ମହାବାହୁ ଓ ରଥ, ଏ ସମସ୍ତ ବିଷୟରେ ଜାଣିବାକୁ ଲୋକଙ୍କ ଜିଜ୍ଞାସା ବଢ଼ିବାରେ ଲାଗିଛି । ସୂଚନାଯୋଗ୍ୟ ଯେ ବେଲ, ନିମ ଭଳି ଆଦି ଉତ୍ତମ କାଠରେ ସୁବଳ ରଥ ନିର୍ମାଣ କରିଛନ୍ତି ।

Get real time updates directly on you device, subscribe now.