fbpx

କରୋନା ଓ ଡେଙ୍ଗୁର ପ୍ରାଥମିକ ଲକ୍ଷଣ ସମାନ, ଜାଣନ୍ତୁ କେମିତି ଚିହ୍ନଟ କରିବେ ରୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମଗ୍ର ବିଶ୍ୱକୁ ବର୍ତ୍ତମାନ କରୋନା କବଳିତ କରି ରଖିଥିବା ବେଳେ ବର୍ତ୍ତମାନ ସାମନାକୁ ଆସିଛି ଘାତକ ଡେଙ୍ଗୁ । ଉଭୟ କରୋନା ଓ ଡେଙ୍ଗୁ ରୋଗର ପ୍ରାଥମିକ ଲକ୍ଷଣ ପ୍ରାୟତଃ ସମାନ ହୋଇଥିବାରୁ ଏହାକୁ ଚିହ୍ନିବା ମୁସ୍କିଲ୍ ହୋଇଥାଏ । ଡେଙ୍ଗୁକୁ ସାଧାରଣ ଭାବିବା ଅନୁଚିତ, କାରଣ ଉଭୟ ରୋଗକୁ ଚିହ୍ନିବାରେ ଅସୁବିଧା ହେଉଥିବାରୁ ପରେ ଏହା ଜୀବନ ନେଇପାରେ । ସାଧାରଣତଃ ଏଡିସ୍ ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ ହୋଇଥାଏ । ତେବେ ଯଦି କେହି ଏହି ରୋଗରେ ସଂକ୍ରମିତ ହୁଅନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ରୋଗକୁ ଚିହ୍ନଟ କରିବା ଦରକାର ।

ଉଭୟ ଡେଙ୍ଗୁ ଓ କରୋନା ଭୁତାଣୁଜନିତ ରୋଗ ହୋଇଥିବାରୁ ପ୍ରାଥମିକ ଅବସ୍ଥାରେ ରୋଗୀ ଜ୍ୱରରେ ଆକ୍ରାନ୍ତ ହେବା ସହ ତାକୁ ଦୁର୍ବଳ ଲାଗିଥାଏ । କରୋନାର ପ୍ରଥମ ଲହର ସମୟରେ ରୋଗୀଙ୍କ ଠାରେ କାଶ, ଛିଙ୍କ ଆଦି ଲକ୍ଷଣ ଦେଖାଦେଇଥିବା ବେଳେ ଦ୍ୱିତୀୟ ଲହର ସମୟରେ ଶ୍ୱାସକ୍ରିୟାଜନିତ ସମସ୍ୟା, ପେଟ କାଟିବା ଆଦି ଲକ୍ଷଣ ଦେଖାଦେଇଥିଲା । ତେବେ ଏପରି ସମାନ ଧରଣର ସମସ୍ୟା ମଧ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ଠାରେ ପରିଲକ୍ଷିତ ହୋଇଥାଏ । ଜଣେ ବ୍ୟକ୍ତି ଯଦି ଡେଙ୍ଗୁରେ ଆକ୍ରାନ୍ତ ହୁଏ, ତେବେ ଚର୍ମରୁ ରକ୍ତ ବାହାରିବା, ବାନ୍ତି, ମଳରେ ରକ୍ତ ପଡ଼ିବା ଆଦି ଦେଖାଦେଇଥାଏ । ଆକ୍ରାନ୍ତ ହେବାର ପ୍ରଥମ ୪ ଦିନ ଜ୍ୱର ହୋଇ ପରେ କମିଯିବା ସହ ରକ୍ତଚାପ କମିଯାଇଥାଏ ଓ ବିଭିନ୍ନ ଅଙ୍ଗରେ ସମସ୍ୟା ଦେଖାଦେଇଥାଏ । ଭଭୟ ରୋଗରେ ରୋଗୀ ୧୫ ଦିନ ପର୍ଯ୍ୟନ୍ତ ସଂକ୍ରମଣ ଅବସ୍ଥାରେ ରହିଥାଏ । ଡେଙ୍ଗୁ ବାହକ ଏଡିସ୍ ମଶା ସାଧାରଣ ମଶା ଭଳି ସମ୍ପୂର୍ଣ୍ଣ କଳା ଦେଖାଯାଏ ନାହିଁ, ଏହା କଳାଧଳା ଦେଖିବାକୁ ହୋଇଥାଏ । ଏହି ମଶା ସାଧାରଣତଃ ଦିନବେଳେ ଲୋକଙ୍କୁ କାମୁଡ଼ି ବିରକ୍ତ କରିଥାଏ, ତେଣୁ ଶୋଇବା ସମୟରେ ମଶାରି ଟାଣି ଶୋଇବା ଦରକାର ।

ତେବେ ପ୍ରାଥମିକ ଲକ୍ଷଣ ପ୍ରାୟ ସମାନ ରହିଥିଲେ ମଧ୍ୟ ଡେଙ୍ଗୁ ଓ କରୋନା ମଧ୍ୟରେ ଅନେକ ଫରକ ରହିଛି । ଡେଙ୍ଗୁ ହୋଇଥିଲେ ରୋଗୀକୁ ଭୀଷଣ ଜ୍ୱର ହେବା ସହ ବାନ୍ତି ହୋଇଥାଏ । ଯଦି ଡେଙ୍ଗୁ ବଢ଼େ ତେବେ ମାଢ଼ିରୁ ରକ୍ତ ବାହାରିବା, ପେଟରେ ପାଣି ଜମିବା, ବାରମ୍ବାର ବାନ୍ତି ହେବା ଆଦି ଲକ୍ଷଣ ଦେଖାଦେଇଥାଏ । ଡେଙ୍ଗୁରେ ୯୦ ପ୍ରତିଶତ ରୋଗୀ ପ୍ରଥମ ପର୍ଯ୍ୟାୟରେ ସୁସ୍ଥ ହେଉଥିବା ବେଳେ ୫ରୁ ୧୦ ପ୍ରତିଶତ ରୋଗୀ ଦ୍ୱିତୀୟ ପର୍ଯ୍ୟାୟକୁ ଯାଇଥାନ୍ତି । ଅପରପକ୍ଷେ ରୋଗୀ କରୋନାରେ ଆକ୍ରାନ୍ତ ହୋଇଥିଲେ ବାନ୍ତି ପରିବର୍ତ୍ତେ ପତଳା ଝାଡ଼ା ହୋଇଥାଏ । ସମୟ ବଢ଼ିବା ସହିତ ରୋଗୀର ଲକ୍ଷଣ ବଢ଼ିଥାଏ । ସ୍ୱାଦ, ଗନ୍ଧ ବାରି ନ ପାରିବା ଆଦି ସମସ୍ୟା ସୃଷ୍ଟି ହୋଇଥାଏ । କରୋନାରେ ଆକ୍ରାନ୍ତ ହୋଇଥିବା ଅନେକ ଲୋକଙ୍କ ଠାରେ ଦୀର୍ଘଦିନ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଜଣାପଡ଼ି ନଥାଏ । ଡେଙ୍ଗୁରେ ପ୍ରାଥମିକ ପର୍ଯ୍ୟାୟରେ ଅମ୍ଲଜାନର ଅଭାବ ଦେଖାଯାଏ ନାହିଁ, କିନ୍ତୁ ରୋଗୀର ଅବସ୍ଥା ଗୁରୁତର ହେଲେ ଅଭାବ ହୋଇଥାଏ । ମାତ୍ର କରୋନାରେ ରୋଗୀ ଆକ୍ରାନ୍ତ ହେବାର ୪-୫ ଦିନ ମଧ୍ୟରେ ଅମ୍ଲଜାନର ଅଭାବ ପରିଲକ୍ଷିତ ହୋଇଥାଏ ।

ଡେଙ୍ଗୁ ଏକ ଭୁତାଣୁଜନିତ ରୋଗ ହୋଇଥିବାରୁ ଜଣେ ମଣିଷ ଠାରୁ ଅନ୍ୟ ଜଣେ ମଣିଷ ପାଖକୁ ଭୁତାଣୁକୁ ନେଇଥାଏ ଏଡିସ୍ ମଶା । ଡେଙ୍ଗୁରେ ସଂକ୍ରମିତ ରୋଗୀଙ୍କୁ ଏହି ମଶା କାମୁଡ଼ିଲେ ମଶା ଦେହକୁ ଭୁତାଣୁ ଚାଲିଯାଇଥାଏ । ପରେ ଏହି ମଶା ଜଣେ ସୁସ୍ଥ ମଣିଷଙ୍କୁ କାମୁଡ଼ିଲେ ଉକ୍ତ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇଥାଏ । ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ନିଳାଦ୍ରୀ ବିହାର, ଶୈଳଶ୍ରୀ ବିହାର ଆଦି ଅଞ୍ଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଡେଙ୍ଗୁ ଯେପରି ଚାରିଆଡ଼େ ନ ବ୍ୟାପେ, ସେଥିପାଇଁ ବେଳହୁଁ ସତର୍କ ହେବା ଦରକାର । ଜୁଲାଇ ମାସରୁ ଅକ୍ଟୋବର ମାସ ମଧ୍ୟରେ ଡେଙ୍ଗୁ ସଂକ୍ରମଣ ବ୍ୟାପେ ବୋଲି ଜଣାପଡ଼ିଛି । ପୂର୍ବରୁ ଡେଙ୍ଗୁ କେବଳ ସହରାଞ୍ଚଳରେ ବ୍ୟାପୁଥିବାର ଦେଖାଯାଉଥିବା ବେଳେ ବର୍ତ୍ତମାନ ଏହା ଗ୍ରାମାଞ୍ଚଳରେ ମଧ୍ୟ ବ୍ୟାପୁଥିବା ଲକ୍ଷ୍ୟ କରାଯାଇଛି । ତେଣୁ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର ।

Get real time updates directly on you device, subscribe now.