fbpx

ଚତୁର୍ଥ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୭ଜଣ: ସୁବ୍ରତ ବାଗଚୀ

ଭୁବନେଶ୍ୱର , ୧ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନାକୁ ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧୦ଟି ନମୁନା ପରୀକ୍ଷା ହୋଇଛି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ପ୍ରଥମ ୨ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୫୫ଜଣ ଆସିଥିଲେ । ସେହିପରି ତୃତୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୧୧୨ଜଣ ଆସିଥିଲେ । ଗତକାଲି ଚିହ୍ନଟ ହୋଇଥିବା ଚତୁର୍ଥ କରୋନା ରୋଗୀଙ୍କ ସଂସ୍ପର୍ଶରେ ୭ଜଣ ଆସିଛନ୍ତି ବୋଲି ବାଗଚୀ କହିଛନ୍ତି । ବର୍ତ୍ତମାନ ମଧ୍ୟ ଆଇସୋଲେସନରେ ୮୮ଜଣ ଅଛନ୍ତି । ୧୦୪ ଓ ପୋର୍ଟାଲ ମାଧ୍ୟମରେ ୧୫,୦୪୫ ଜଣଙ୍କ ନାମ ରେଜିଷ୍ଟ୍ରେସନ ହୋଇଛି । ଏହାସହ ଆସନ୍ତା ଦୁଇ ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ସେହିପରି ୪ର୍ଥ କରୋନା ରୋଗୀଙ୍କ ସମ୍ପୂର୍ଣ୍ଣ ଗସ୍ତ ବିବରଣୀ ମଧ୍ୟ ସେ ଦେଇଛନ୍ତି । ୧୮ମାର୍ଚ୍ଚ ରେ ସେ ବିମାନରେ ଦୁବାଇରୁ କୋଲକତା ଆସିଥିଲେ । ସେହିଦିନ କୋଲକାତା ବିମାନବନ୍ଦରରୁ ଟାକ୍ସିରେ ହାୱଡ଼ା ଷ୍ଟେସନ ଯାଇଥିବା ସୂଚନା ମିଳିଛି । ହାୱାଡ଼ା ଷ୍ଟେସନରୁ ଭଦ୍ରକ ଷ୍ଟେସନ ଯାଇ ଟ୍ରେନରେ ଗସ୍ତ କରିଥିଲେ । ପୁଣି ଭଦ୍ରକ ରେଳ ଷ୍ଟେସନରୁ ଅଟୋରେ ଘରକୁ ଯାଇଥିଲେ । ପରେ ୩୦ ତାରିଖ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବା ସହ ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ଦିଆଯାଇଥିଲା । ୩୧ ତାରିଖରେ ତାଙ୍କ ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା ।

ଏହାସହ କରୋନା ବ୍ୟାପିବା ସମ୍ପର୍କରେ ସତର୍କ କରାଇଛନ୍ତି ବାଗଚୀ । କାହାକୁ, କେଉଁଠି ଓ କେତେବେଳେ ବି କରୋନା ହୋଇପାରେ ବୋଲି ସେ କହିଛନ୍ତି । କରୋନା ଯେ କୌଣସି ସମୟରେ ଯେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ । ଧନୀ, ଗରିବ ସମସ୍ତେ ସମାନ । ରୋଗୀକୁ ନୁହେଁ ବରଂ ରୋଗକୁ ମୁକାବିଲା କରିବା ଆବଶ୍ୟକ । ସଂକ୍ରମିତ ରୋଗୀଙ୍କୁ ଭଲ ବ୍ୟବହାର କରିବା ଆବଶ୍ୟକ ନଚେତ ଏହା ଘାତକ ହୋଇପାରେ ବୋଲି ବାଗଚୀ କହିଛନ୍ତି ।

Get real time updates directly on you device, subscribe now.