fbpx

ଆଜି ଓଡ଼ିଶା ରାଜନୀତିର Super Sunday: ବିଜେପି-କଂଗ୍ରେସ ପାଇଁ ରାଜ୍ୟ ଦେଖିବ ହେଭିୱେଟ୍ ଲଢେଇ

ଓଡ଼ିଶା ଭାସ୍କର: ୨୦୨୪ ନିର୍ବାଚନ ଏବେ ନୂଆ ମୋଡ଼ ନେଉଛି । ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରଚାର । ଦଳୀୟ କର୍ମୀଙ୍କ ସହ ସମର୍ଥକଙ୍କୁ ଧରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ନିର୍ବାଚନ ପ୍ରଚାର ରେ ମଇଦାନ କମ୍ପୁଥିବା ବେଳେ ଆଜି ସନ୍-ଡେ’ ହେବାକୁ ଯାଉଛି ସୁପର ସନ୍-ଡେ’ । କାରଣ ଆଜି ଓଡ଼ିଶା ରାଜନୀତି ଏବଂ ଜନତା ଦେଖିବେ ହେଭିୱେଟ ଫାଇଟ୍ । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପି ଏବଂ କଂଗ୍ରେସର ଦୁଇ ମହାନାୟକ । ଓଡ଼ିଶାରେ ସରକାର ବଦଳାଇବାକୁ ରାଜ୍ୟବାସୀଙ୍କୁ କରିବେ ଅହ୍ୱାନ । ଗୋଟିଏ ପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଅନ୍ୟ ପଟେ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେଣୁ ଆଜି ଓଡ଼ିଶାରେ ଏହି ଦୁଇ ହେଭିୱେଟଙ୍କ ପ୍ରଚାର ରାଜ୍ୟ ରାଜନୀତିର ସମୀକରଣ ନୂଆ ଜୋସ୍ ଭରିବ ବୋଲି ଆଶା ରଖିଛନ୍ତି ସମର୍ଥକ ।

ଓଡ଼ିଶାରେ ମତଦାନକୁ ଆହୁରି ସମୟ ବାକି ରହିଛି । କିନ୍ତୁ ଭୋଟରଙ୍କ ମନ ଜିତିବା ପାଇଁ କସରତ ଆରମ୍ଭ କରି ସାରିଲେଣି ପ୍ରାର୍ଥୀ ଏବଂ ପ୍ରଚାରକ । ବିଭିନ୍ନ ସଭା, ସମାରୋହ କରି ଜନତାଙ୍କ ହୃଦୟରେ ଜାଗା ପାଇବାକୁ ଜାରି ରହିଛି ଚେଷ୍ଟା । ଏହାଭିତରେ ବିଜେପି ଏବଂ କଂଗ୍ରେସର ଏକ ବଡ଼ ଫାଇଟ୍ ଆଜି ଦେଖିବ ଓଡ଼ିଶା । କାରଣ ଆଜି ରାଜ୍ୟ ରାଜନୀତିର ସମୀକରଣକୁ ବଦଳାଇବା ଉଦ୍ଦେଶ୍ୟରେ ଓଡ଼ିଶା ଆସୁଛନ୍ତି ବିଜେପି ଏବଂ କଂଗ୍ରେସର ଦୁଇ ମହାନାୟକ ଜେପି ନଡ୍ଡା ଏବଂ ରାହୁଲ ଗାନ୍ଧୀ । ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରରେ ପହଞ୍ଚି ବିଜେପି ପାଇଁ ନଡ୍ଡା ପ୍ରଚାର କରିବେ, ଏପଟେ ସିଲଭର ସିଟିରେ କଂଗ୍ରେସର ମଙ୍ଗ ସମ୍ଭାଳିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଓଡ଼ିଶାରେ ବିଜେଡି ଶାସନ ବିରୋଧରେ କମ୍ପିବ ସ୍ୱର । ଉଭୟ ପକ୍ଷରୁ ଶୁଭିବ ରାଜ୍ୟ ସରକାର ବିରୋଧୀ ଅହ୍ୱାନ । ଏଥର ନିର୍ବାଚନରେ ନିଜ ଦଳର ସମର୍ଥନ ଏକଜୁଟ କରିବା ସହ ଓଡ଼ିଶାରେ ନୂଆ ସରକାର ଗଠନ କରିବା ପାଇଁ ନଡ୍ଡା ଭଳି ଅମୋଘ ଅସ୍ତ୍ର ପ୍ରୟୋଗ କରି ଛି ବିଜେପି । ସେପଟେ କଂଗ୍ରେସ ମଧ୍ୟ ପଛଘୁଞ୍ଚା ଦେଇନି । କଟକ ସିଟିରେ ହାତମୁଠା ମଜବୁତ କରିବାକୁ ଦଳର ମହାନ୍ ଯୋଦ୍ଧା ରାହୁଲ ଗାନ୍ଧୀଙ୍କୁ ମଇଦାନରେ ଓହ୍ଲାଇଛି କଂଗ୍ରେସ ।

ଆଜି ଅପରାହ୍ନ ସାଢେ୪ଟାରେ ଜେପି ନଡ୍ଡା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ଯିବେ । ଏହାପରେ ୫ଟାରେ ଆମ୍ବପୁଆ ସାଧାରଣ ବୈଠକରେ ଯୋଗ ଦେବା ସହ ୬.୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ମଧ୍ୟ ସେ ସାମିଲ ହେବାର ସୂଚୀ ରହିଛି । ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଏବଂ କୋରାପୁଟର କାର୍ଯ୍ୟକର୍ତ୍ତା ମଧ୍ୟ ସାମିଲ ରହିବେ । ପୂର୍ବ ଅପେକ୍ଷା ଏଥର ନିର୍ବାଚନରେ ଦକ୍ଷିଣ ଓଡ଼ିଶାରେ ବିଜେପିର ସ୍ଥିତି ମଜବୁତ ମନେ ହେଉଛି । ତେଣୁ ଜେପି ନଡ୍ଡାଙ୍କୁ ପ୍ରଚାର ଦଳକୁ ଆହୁରି ଶକ୍ତିଶାଳୀ କରିପାରିବ ବୋଲି ଆଶା ରଖିଛି ବିଜେପି ।

ସେପଟେ କଟକ ସିଟି ଉପରେ ରହିଛି କଂଗ୍ରେସର ନଜର । ତେଣୁଏଠାକାର ସମୀକରଣକୁ ବଦଳାଇବା ପାଇଁ ୧୧.୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସିଧା କଟକ ଆସିବେ ରାହୁଲ ଗାନ୍ଧୀ । ଏଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ରାହୁଲ କଟକର ସତ୍ୟଭାମାପୁରରେ ପହଞ୍ଚି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ କଟକରୁ ସାଲେପୁର ଯାଇ ୧୨.୨୫ରେ ସାଧାରଣ ସଭାରେ ସାମିଲ ହେବ ରାହୁଲ । ଉପକୂଳ ଓଡ଼ିଶାରେ କଂଗ୍ରେସର ସ୍ଥିତି ମଜବୁତ କରିବାକୁ ରାହୁଲ କଂଗ୍ରେସ କର୍ମୀଙ୍କ ସହ ନିଜର ଦମ ଦେଖାଇବେ ।

ତେବେ ସୁପର ସନ୍-ଡେ’ର ଏହି ହେଭିୱେଟ ଫାଇଟ ରାଜ୍ୟ ରାଜନୀତି ଉପରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା । ବିଜେପି ଏବଂ କଂଗ୍ରେସ ଏଥର ନିର୍ବାଚନରେ କ’ଣ ପରିବର୍ତ୍ତନ ଆଣିବେ ନା ଏମାନଙ୍କ ଉପରେ ଅନ୍ୟ କେଉଁ ଦଳ ଭାରୀ ପଡ଼ିବ ଫଳାଫଳ ଘୋଷଣା ପରେ ତାହା ଜଣାପଡ଼ିବ ।

Get real time updates directly on you device, subscribe now.