ଏଣିକି ତଳ କୋର୍ଟମାନେ ଅପରାଧୀଙ୍କୁ ମନଇଚ୍ଛା ଫାଶୀଦଣ୍ଡରେ ଦଣ୍ଡିତ କରିପାରିବେନି, ସୁପ୍ରିମକୋର୍ଟ ପ୍ରସ୍ତୁତ କରିବେ ନୂଆ ଗାଇଡଲାଇନ୍ସ

ନୂଆଦିଲ୍ଲୀ: ଫାଶୀ ନାଁ ଶୁଣିଲେ ଆମ ସମସ୍ତଙ୍କର ମନରେ ଭୟରେ କମ୍ପନ ସୃଷ୍ଟି ହୋଇଥାଏ । ହତ୍ୟା ଭଳି ଭୟଙ୍କର ଅପରାଧ ପାଇଁ ଆମ ଦେଶରେ ଅନେକ ଅପରାଧୀ ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ତେବେ ଫାଶୀ ଦଣ୍ଡାଦେଶକୁ ନେଇ ସୁପ୍ରିମକୋର୍ଟ ନୂଆ ଗାଇଡଲାଇନ ଲାଗୁ କରିବାକୁ ଯାଉଛନ୍ତି । କାହାକୁ ଫାଶୀ ଦଣ୍ଡାଦେଶ ଦିଆଯିବ ଆଉ କାହାକୁ ଦିଆଯିବନି ସେଥିପାଇଁ ନିମ୍ନ ଅଦାଲତଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବେ ସର୍ବୋଚ୍ଚ ଅଦାଲତ । ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଓ ଜଷ୍ଟିସ ପିଏସ ନରସିମହାଙ୍କୁ ନେଇ ଗଠିତ ବେଞ୍ଚ ଏନେଇ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳଙ୍କୁ ସହାୟତା କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ନ୍ୟାସନାଲ ଲିଗାଲ ସର୍ଭିସେସଙ୍କଠାରୁ ଜବାବ ମଗାଯାଇଥିବା ବେଳେ ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୧୦ ତାରିଖରେ ହେବ ।

ଜଣାପଡ଼ିଛି ଯେ, ମଧ୍ୟପ୍ରଦେଶର ଇରଫାନ ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଆଗତ ହୋଇଥିବା ୟାଚିକା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଇରଫାନ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆସିବା ପରେ ନିମ୍ନ ଅଦାଲତ ତାଙ୍କୁ ଫାଶୀ ଦଣ୍ଡ ଶୁଣାଣି କରିଥିଲେ । ଏହା ଉପରେ ହାଇକୋର୍ଟ ମୋହର ଲଗାଇଥିଲେ । ତେବେ ଏହି ଆଦେଶ ବିରୋଧରେ ଇରଫାନ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଇରଫାନଙ୍କ ଓକିଲ ଏକ ଅର୍ଜି ଦାଖଲ କରି ମିଟିଗେଶନ ଇନଭେଷ୍ଟିଗେଟରଙ୍କୁ ଜେଲରେ ଇରଫାନଙ୍କୁ ଭେଟିବା ପାଇଁ ଅନୁମତି ମାଗିଥିଲେ ।

ଏନେଇ ଇରଫାନଙ୍କ ଓକିଲ କହିଛନ୍ତି ଯେ, ରାଜ୍ୟରେ ରହିଥିବା ପ୍ରତିବନ୍ଧକ କାରଣରୁ ସୁପ୍ରିମକୋର୍ଟରେ ଅର୍ଜି ଦାଖଲ କରିବାକୁ ପଡ଼ୁଛି । ଏନେଇ ଜେଲ ମାନୁଆଲ କୁହନ୍ତି ଯେ, ଫାଶୀ ଦଣ୍ଡାଦେଶ ପାଇଥିବା କଏଦୀଙ୍କୁ କେବଳ ଲିଗାଲ ଆଡଭାଇଜର ହିଁ ଇଣ୍ଟରଭ୍ୟୁ କରିପାରିବେ । ରାଜ୍ୟରେ ଲିଗାଲ ଆଡଭାଇଜରଙ୍କୁ ଯେଉଁ ପରିଭାଷା ଦିଆଯାଇଛି, ମିଟିଗେଶନ ଇନଭେଷ୍ଟିଗେଟରଙ୍କୁ ତାହା ଦିଆଯାଇନାହିଁ । ମିଟିଗେଶନ ଇନଭେଷ୍ଟିଗେଟର ଡିଫେନ୍ସ ଟିମର ଏକ ଅଂଶ ଅଟନ୍ତି ।