ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ରୋକିବାକୁ ଗଠିତ ହେଲା ସୁପ୍ରିମ ଟାସ୍କଫୋର୍ସ

ଚାଷୀଙ୍କ ଠାରୁ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଚିନ୍ତାଜନକ ।

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା । ଉଚ୍ଚ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଏବଂ ହଷ୍ଚେଲରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ ।

ତେବେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହିତ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ରୋକିବା ପାଇଁ ସୁପ୍ରିମକୋର୍ଟ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି ।

କୃଷି ସମସ୍ୟା ସହିତ ଯୁଝି ହେଉଥିବା କୃଷକଙ୍କ ତୁଳନାରେ ଏହି ସମସ୍ୟା ଉଦବେଗ ଜନକ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏସ ରବିନ୍ଦ୍ର ଭଟ୍ଟ ଏହାର ନେତୃତ୍ବ ନେବେ ।

ଆଇଆଇଟି ଦିଲ୍ଲୀର ଦୁଇ ଛାତ୍ରଙ୍କ ମୃତ୍ୟୁ ମାମଲାର ଶୁଣାଣି ସମୟରେ ଏହି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ମୃତ ଛାତ୍ରଙ୍କ ପରିବାର ଦ୍ବାରା ଆଗତ କରାଯାଇଥିବା ପିଟିସନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହି ସମୟରେ ବିଭିନ୍ନ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା ।  ଫେବୃଆରୀ 15 ତାରିଖ କିଟ୍ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଟାସ୍କଫୋର୍ସ ଆତ୍ମହତ୍ୟା ପଛର ପ୍ରମୁଖ କାରଣ ଚିହ୍ନଟ କରିବେ ।