fbpx
BSKY
BJD SHG SKY
BJD MC SKY

ଚଳିତ ବର୍ଷ ନବମ ଓ ଦଶମ ପିଲାଙ୍କ ସିଲାବସ୍ ୩୦ ପ୍ରତିଶତ କମିବ, ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଗଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନାହିଁ । ପୂର୍ବରୁ କୋଭିଡ୍ କାରଣରୁ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ କେବେ ଖୋଲିବ ସେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏଭଳି ପରିସ୍ଥିତିରେ ପିଲାମାନଙ୍କର ପାଠପଢ଼ା ଅଧିକ ମାତ୍ରାରେ ପ୍ରଭାବିତ ହେଉଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନବମ ଓ ଦଶମ ଶ୍ରେଣୀ ସିଲାବସ୍ କମିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ସିଲାବସ୍ ୩୦ ପ୍ରତିଶତ ହ୍ରାସ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ଏ ସମ୍ପର୍କରେ ଶ୍ରୀ ଦାସ କହିଛନ୍ତି ଯେ, କୋଭିଡ୍ କାରଣରୁ ସ୍କୁଲ କେବେ ଖୋଲିବ, ସେନେଇ କୌଣସି ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା ହୋଇନାହିଁ । ତେଣୁ ସାଂପ୍ରତିକ ସ୍ଥିତିକୁ ଅନୁଧ୍ୟାନ କରି ପିଲାଙ୍କୁ ୟୁଟ୍ୟୁବରେ ପାଠ ପଢ଼ା ଯାଉଛି । ଅନଲାଇନ୍ ଶିକ୍ଷା ସବୁ ପିଲାଙ୍କ ପାଖରେ ପହଞ୍ଚିବା ସମ୍ଭବପର ହେଉନଥିବାରୁ ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ଭଳି ସିଲାବସ୍ ହ୍ରାସ କରାଯାଇଛି । କେଉଁଠି ପିଲାଙ୍କର ଇଣ୍ଟରନେଟ ନାହିଁ ତ କେଉଁଟି ଡାଟା ସରି ଯାଉଥିବା ସମସ୍ୟା ଦେଖାଯାଉଛି । ତେବେ ଘରୋଇ ସ୍କୁଲର ପିଲାମାନେ ଅନଲାଇନରେ କ୍ଲାସ ଜାରି ରଖିଥିବା ବେଳେ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନେ ବେଶୀ ମାତ୍ରାରେ ପ୍ରଭାବିତ ହେଉଥିବାର ଦେଖାଯାଉଛି । ତେଣୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ଲାଗି ସରକାର ଯୋଜନା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି ।

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢ଼ା ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରତ୍ୟେକ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୧୦ଟା ୪୫ ମିନିଟରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ୪ଟି ପିରିୟଡରେ କ୍ଲାସ ଚାଲିବ । ଅନୁରୂପ ଭାବେ ଜୁଲାସ ୭ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଅନଲାଇନରେ ହେବ । ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କ ପାଠପଢ଼ା ସକାଳ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଓ ଚତୁର୍ଥରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଠପଢ଼ା ସକାଳ ୯ଟାରୁ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.