fbpx

ଡେଲଟା ପ୍ଲସ୍ ସାଜିବ ତୃତୀୟ ଲହରର ମୁଖ୍ୟ କାରଣ, ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦେଉଛି ଏହି ଭାଇରସ୍, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଦେଶରେ ଡେଲଟା ପ୍ଲସକୁ ନେଇ ଆଶଙ୍କା ଜାରି ରହିଛି । ବିଶ୍ୱର ୯ଟି ଦେଶରେ ଡେଲଟା ପ୍ଲସ୍ ମାଡ଼ି ଚାଲିଥିବା ବେଳେ ଏହି ଭାଇରସ୍ ତୃତୀୟ ଲହର ଆଣିବାର ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ଏହା ଆମେରିକା, ବ୍ରିଟେନ, ପର୍ତ୍ତୁଗାଲ, ଜାପାନ, ରୁଷ ଓ ଚୀନ ଭଳି ଦେଶର ବ୍ୟାପିଥିବାବେଳେ ଭାରତରେ ୩୦ଟି ମାମଲା ସାମନାକୁ ଆସିଛି । ତେଣୁ ଡେଲଟା ପ୍ଲସରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଡେଟଲା ପ୍ଲସ୍ ବିରୋଧରେ କରୋନା ଭ୍ୟାକ୍ସିନ ପ୍ରଭାବଶାଳୀ ରହିବ କି ନାହିଁ ସେନେଇ ସରକାର ଖୁବଶୀଘ୍ର ଏକ ରିପୋର୍ଟ ପ୍ରକାଶ କରିବେ ବୋଲ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।

ଡେଲଟା ପ୍ଲସ୍ ଭାରିଆଣ୍ଟ ମହାରାଷ୍ଟ୍ରରୁ ୨୧ଟି, ମଧ୍ୟପ୍ରଦେଶରୁ ୫ଟି, କେରଳରୁ ୨ଟି, କର୍ଣ୍ଣାଟକରୁ ୨ଟି ମାମଲା ଚିହ୍ନଟ ହୋଇଛି । ସମଗ୍ର ବିଶ୍ୱରେ ଡେଲଟା ପ୍ଲସର ୨୦୦ଟି ମାମଲା ଚିହ୍ନଟ ହୋଇଛି । ପୂର୍ବରୁ ଡେଲଟା ପ୍ଲସ ଭାରିଆଣ୍ଟ ମହାରାଷ୍ଟ୍ରରେ ତୃତୀୟ ଲହର ଆଣିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ କୋଭିଡ ଟାସ୍କ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଥିଲା । ତୃତୀୟ ଲହର ଡେଲଟା ପ୍ଲସ ପାଇଁ ଆସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ଡେଲଟା ପ୍ଲସ୍ ଭାଇରସ୍ ଶରୀରରେ ପ୍ରବେଶ କରିବା ପରେ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦେଉଥିବା ବିଶେଷଜ୍ଞମାନେ କହିଛନ୍ତି । ତେଣୁ ଏଥିପ୍ରତି ସତର୍କ ରହିବାକୁ କୁହାଯାଉଛି ।

ଆଇସିଏମଆରର ବୈଜ୍ଞାନିକମାନେ ଡେଲଟା ପ୍ଲସ ଭାଇରସ ଉପରେ ଅଧିକ ଗବେଷଣା ଜାରି ରଖିଛନ୍ତି । ଭାରତ ବାୟୋଟେକ୍ ନିର୍ମିତ କୋଭାକ୍ସିନ ଏହି ନୂଆ ଭାରିଆଣ୍ଟର ପ୍ରଭାବକୁ ହ୍ରାସ କରିପାରିବ ନା ନାହିଁ ସେନେଇ ଆଇସିଏମଆର ଓ ପୁଣେର ଏନଆଇଭି ଉଦ୍ୟମ କରୁଛନ୍ତି । ତେବେ ଭ୍ୟାକ୍ସିନ ଡେଲଟା ଭାରିଆଣ୍ଟ ବିପକ୍ଷରେ କାର୍ଯ୍ୟ କରୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତଣାଳୟ ପକ୍ଷରୁ କୁହାଯାଇଛି । କୋଭାକ୍ସିନ ଓ କୋଭିସିଲ୍ଡ ଡେଲଟା ବିରୋଧରେ ପ୍ରଭାବଶାଳୀ ରହୁଥିବା ବେଳେ ଅନ୍ୟାନ୍ୟ ଭ୍ୟାକ୍ସିନ ଉପରେ ଏହା କିପରି କାମ କରୁଛି ତାହା ଖୁବଶୀଘ୍ର ପ୍ରକାଶ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ତେବେ ବିଶେଷଜ୍ଞଙ୍କ ମତରୁ ଜଣାପଡ଼ୁଛି ଯେ, ଡେଲଟା ପ୍ଲସ୍ ଭାଇରସ୍ ଟିକା ଓ ସଂକ୍ରମଣ ପ୍ରତିରୋଧକ ଶକ୍ତିକୁ ଚକମା ଦେଇପାରେ ।

Get real time updates directly on you device, subscribe now.