fbpx

କୋହଲି-ଶାସ୍ତ୍ରୀଙ୍କ ଯୁଗର ଅନ୍ତ, ଦମଦାର ବିଜୟ ସହ ବିଦାୟ ଦେଲା ଟିମ୍ ଇଣ୍ଡିଆ

ଦୁବାଇ :  ବିଜୟ ସହ ଟି-୨୦ ବିଶ୍ଵ କପରେ ନିଜର ଅଭିଯାନ ସମାପ୍ତ କଲା ଭାରତୀୟ ଦଳ । ସୁପର-୧୨ ରାଉଣ୍ଡର ଶେଷ ମ୍ୟାଚ୍ରେ ନାମିବିୟାଙ୍କୁ ୯ ଓ୍ଵିକେଟରେ ହରାଇଛି ଭାରତ। ସେମି ଫାଇନାଲ୍ ପହଞ୍ଚି ପାରିନଥିବା ଭାରତ ଶେଷ ମ୍ୟାଚ୍ ଜିତି ନିଜର ସମ୍ମାନ ରକ୍ଷା କରିଛି । ରୋହିତ ଶର୍ମା(୫୬) ଏବଂ କେଏଲ ରାହୁଲଙ୍କ ଅପରାଜିତ ୫୪ ରନ ବଳରେ ନାମିବିୟା ଦ୍ଵାରା ଧାର୍ଯ୍ୟ ୧୩୩ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୫.୨ ଓଭରରେ ୧ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ସବୁଠୁ ବଡ କଥା ଅଧିନାୟକ ଭାବେ ବିରାଟ କୋହଲି ଟି-୨୦ରେ ନିଜର ଶେଷ ମ୍ୟାଚ୍ ଖେଳିଥିବା ବେଳେ ରବି ଶାସ୍ତ୍ରୀଙ୍କ କୋଚ୍ ଭାବେ କାର୍ଯ୍ୟକାଳ ସମାପ୍ତ ହୋଇଛି । ମ୍ୟାଚ୍ ସରିବା ସହ କୋହଲି-ଶାସ୍ତ୍ରୀଙ୍କ ଯୁଗର ଅବସାନ ଘଟିଛି।

ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଦମଦାର ବ୍ୟାଟିଂ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ । ଉଭୟ ନାମିବିୟା ବୋଲରଙ୍କୁ ଆରମ୍ଭରୁ ପ୍ରହାର କରିଥିଲେ। ଏହି କ୍ରମରେ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟରେ ୩୦୦୦ ରନ ପୂରଣ କରିଥିଲେ। ରୋହିତ ୨୪ତମ ଅର୍ଦ୍ଧଶତକ ସହ ୩୭ ବଲରୁ ୭ ଚୌକା ଓ ୨ ଛକା ସହ ୫୬ ରନ କରି ଆଉଟ୍ ହୋଇଥିଲେ । ବିସ୍ଫୋରକ ବ୍ୟାଟିଂ କରି ରୋହିତ ଓ ରାହୁଲ  ୯.୫ ଓଭରରେ ୮୬ ରନ ଯୋଡି ଦଳ ବିଜୟ ସହଜ କରିଥିଲେ।

ଏହା ପରେ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି । କେଏଲ ରାହୁଲ ଦମଦାର ବ୍ୟାଟିଂ କରି ଟି-୨୦ ଅନ୍ତର୍ଜାତୀୟରେ ୧୨ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଅପରାଜିତ ଦ୍ଵିତୀୟ ଓ୍ଵିକେଟରେ ୫୦ ରନ ଯୋଡି ଭାରତକୁ ୧୫.୨ ଓଭରରେ ୯ ଓ୍ଵିକେଟରେ ବିଜୟୀ କରାଇଛନ୍ତି । ରାହୁଲ ୩୬ ବଲରେ ୪ ଚୌକା ଓ ୨ ଛକା ସହ ୫୪ ଏବଂ ସୂର୍ଯ୍ୟକୁମାର ୨୫ ରନ କରି ଅପରାଜିତ ଥିଲେ।

ନାମିବିୟା ଇନିଂସରେ ରବୀନ୍ଦ୍ର ଜାଡେଜା ୧୬ ରନ ଦେଇ ୩, ଆର ଅଶ୍ଵିନ ୨୦ ରନ ଦେଇ ୩ ଏବଂ ବୁମରା ୧୯ ରନ ଦେଇ ୨ ଓ୍ଵିକେଟ୍ ନେଇ ଭାରତ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନାମିବିଆ ୮ ଓ୍ଵିକେଟ୍ ହରାଇ ୧୩୨ ରନ କରିଥିଲା। ଦଳ ପକ୍ଷରୁ ଓ୍ଵାଇଜ ସର୍ବାଧିକ ୨୬ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାର୍ଡ ୨୧, ମାଇକେଲ୍ ବାନ ଲିଙ୍ଗେନ ୧୪, ଏରାସମସ ୧୨ ରନ, ଜନ ଫ୍ରାୟଲିଙ୍ଗ ଅପରାଜିତ ୧୫ ଓ ଟ୍ରମ୍ପଲମନ ଅପରାଜିତ ୧୩ ରନ କରିଥିଲେ। ଅଶ୍ଵିନ ଓ ଜାଡେଜା ଯୋଡି ଘାତକ ବୋଲିଂ କରି ମିଳିତ ୬ ଓ୍ଵିକେଟ୍ ନେଇଥିଲେ।

Get real time updates directly on you device, subscribe now.