fbpx

T20 WC Final: ଖେଳିବେନି ଡେଭନ କନଓ୍ଵେ, ତାଙ୍କ ସ୍ଥାନ ନେଲେ କେକେଆରର ବିସ୍ଫୋରକ ବ୍ୟାଟସମ୍ୟାନ

Advertisement

ନୂଆଦିଲ୍ଲୀ : ଆଇସିସି ଟି-୨୦ ବିଶ୍ଵ କପ୍ ୨୦୨୧ର ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ପଡୋଶୀ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ। ଦୁଇ ଦେଶ ପ୍ରଥମ ଟି-୨୦  ବିଶ୍ଵ କପ୍ ଟ୍ରଫି ଜିତିବା ଲକ୍ଷ୍ୟ ନେଇ ଆସନ୍ତାକାଲି ପଡିଆକୁ ଓହ୍ଲାଇବେ। ହେଲେ ଫାଇନାଲ୍ ପୂର୍ବରୁ କିଓ୍ଵି ଦଳକୁ ଶକ୍ତ ଝଟକା ଲାଗିଛି। ଦଳର ଷ୍ଟାର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଡେଭନ  କନଓ୍ଵେ ଖେଳିବେ ନାହିଁ।

କନଓ୍ଵେ ଇଂଲଣ୍ଡ ବିପକ୍ଷ ପ୍ରଥମ ସେମି ଫାଇନାଲ୍ରେ ଦଳର ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ୪୬ ରନର ଇନିଂସ ଖେଳି ଦଳକୁ ମୁସ୍କିଲ ସ୍ଥିତିରୁ ବଞ୍ଚାଇଥିଲେ। ହେଲେ ଆଉଟ୍ ହେବା ପରେ କନଓ୍ଵେ ନିରାଶରେ ନିଜ ଡାହାଣ ହାତକୁ ବ୍ୟାଟରେ ଜୋରରେ ମାରିଥିଲେ। ଏହି କାରଣରୁ ତାଙ୍କର ହାତ ଭାଙ୍ଗି ଯାଇଛି। ଆହତ କନଓ୍ଵେଙ୍କ ସ୍ଥାନରେ ଟିମ୍ ସେଇଫର୍ଟ ଫାଇନାଲ୍ ମ୍ୟାଚ୍ ଖେଳିବେ । ସେଇଫର୍ଟ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଛନ୍ତି।

୨୬ ବର୍ଷୀୟ ସେଇଫର୍ଟ କିଓ୍ଵି ଦଳର ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ।  ଦିନିକିଆ ଏବଂ ଟି-୨୦ରେ ଏହି ବ୍ୟାଟସମ୍ୟାନଙ୍କ ଷ୍ଟ୍ରାଇକ ରେଟ୍ ୧୨୦ ଉପରେ ରହିଛି । ଡାହାଣହାତୀ ବ୍ୟାଟସମ୍ୟାନ ସେଇଫର୍ଟ ୩୬ ଟି-୨୦ ଅନ୍ତର୍ଜାତୀୟରେ ୧୩୨ ଷ୍ଟ୍ରାଇକ୍ ରେଟ୍ ୭୦୩ ରନ କରିଛନ୍ତି । ଏଥିରେ ୫ ଅର୍ଦ୍ଧଶତକ ସାମିଲ୍। ତାଙ୍କର ସର୍ବୋଚ୍ଚ ସ୍କୋର ୮୪ ରହିଛି। ସେଇଫର୍ଟ ସାଧାରଣତଃ ଓପନିଂ କରନ୍ତି। ହେଲେ ଫାଇନାଲ୍ ମ୍ୟାଚରେ ସେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ପାରନ୍ତି।

ଆହତ ହେବା ପରେ ବି ଡେଭନ କନଓ୍ଵେ ଦଳ ସହିତ ଜଡିତ ଅଛନ୍ତି। ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଏକ ଭିଡିଓ ସେୟାର କରିଛି। ଏଥିରେ କନଓ୍ଵେ ସାଥୀ ଖେଳାଳି ସେଇଫର୍ଟଙ୍କୁ ଓ୍ଵିକେଟ୍ କିପିଂ ଅଭ୍ୟାସ କରାଉଛନ୍ତି।

Get real time updates directly on you device, subscribe now.