T20 World Cup: ଯଦି ଆଜି ସ୍କଟଲାଣ୍ଡ ଜିତିଯାଏ ତେବେ ଟିମ୍ ଇଣ୍ଡିଆ ପାଇଁ ଖୋଲିଯିବ ସେମି ଫାଇନାଲ ରାସ୍ତା

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ୨୦୨୧ରେ ଭାରତର ଅଭିଯାନ ଯଦିରେ ଅଟକି ଯାଇଛି । ଭାରତୀୟ ଦଳ ନିଜର ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ଭୋଗିଛି । ଟୁର୍ଣ୍ଣାମେଣ୍ଟରେ ଦାବିଦାର ଭାବେ ଅଭିଯାନ ଆରମ୍ଭ କରିଥିବା ଭାରତ ଏବେ ବିଶ୍ୱ କପରୁ ବାଦ ପଡିବାର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ଦଳର ପ୍ରଦର୍ଶନ ପ୍ରଶଂସକଙ୍କୁ ମର୍ମାହତ କରିଛି । ଅଧିକାଂଶ କ୍ରିକେଟ୍ ପ୍ରେମୀ ଭାବୁଛନ୍ତି ଯେ, ଭାରତ ଆଉ ସେମି ଫାଇନାଲରେ ପ୍ରବେଶ କରି ପାରିବ ନାହିଁ । ମାତ୍ର ଭାରତର ଆଶା ଏବେ ମଧ୍ୟ କମି ନାହିଁ । କ୍ରିକେଟ୍ ପରି ଏକ ଅନିଶ୍ଚିତା ଖେଳରେ କେଉଁ ଦଳ କେବେ କାହାକୁ ହରାଇ ଦେବ ତାହା କହିବା ବହୁତ ମୁସ୍କିଲ । ଏହି କାରଣରୁ ଅନେକ ଭାରତୀୟ ପ୍ରଶଂସକ ସ୍କଟଲାଣ୍ଡ ବିଜୟକୁ ନେଇ ଆଶା ବାନ୍ଧି ବସିଛନ୍ତି । ଯଦି ସ୍କଟଲାଣ୍ଡ ଆଜି ନ୍ୟୁଜିଲାଣ୍ଡକୁ ହରାଇ ଦିଏ ତେବେ ଭାରତ ପାଇଁ ସେମି ଫାଇନାଲ ରାସ୍ତା ଖୋଲିଯିବ ।

ଟି-୨୦ ବିଶ୍ୱ କପରେ ବୁଧବାର ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ସ୍କଟଲାଣ୍ଡ ବନାମ ନ୍ୟୁଜିଲାଣ୍ଡ ଏବଂ ଦ୍ୱିତୀୟ ମ୍ୟାଚ୍ ଭାରତ ବନାମ ଆଫଗାନିସ୍ତାନ । ଯଦି ଭାରତକୁ ସେମି ଫାଇନାଲ ଖେଳିବାର ଅଛି ତେବେ ଦଳ କେବଳ ଆଫଗାନିସ୍ତାନକୁ ହରାଇଲେ ଚଳିବ ନାହିଁ ବରଂ ବଡ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡିବ । ଆଉ ବାକି ଦୁଇଟି ମ୍ୟାଚ୍ ମଧ୍ୟ ଜିତିବାକୁ ପଡିବ । ଏହା ବ୍ୟତୀତ ଭାରତ ଆଶା କରିବ ଯେ, ନ୍ୟୁଜିଲାଣ୍ଡ ସ୍କଟଲାଣ୍ଡଠୁ ପରାଜିତ ହେଉ । ଯଦି ଏମିତି ହୁଏ ତେବେ ନ୍ୟୁଜିଲାଣ୍ଡ ଭାରତ ପରି ଦୁଇଟି ମ୍ୟାଚ୍ ହାରିଯିବ । ଏମିତିରେ ଭାରତ ଓ ନ୍ୟୁଜିଲାଣ୍ଡର ପଏଣ୍ଟ ସମାନ ରହିପାରେ । ପୁଣି ନେଟ୍ ରନରେଟ୍ ଆଧାରରେ ସ୍ଥିର ହେବ ଯେ, କେଉଁ ଦଳ ସେମି ଫାଇନାଲକୁ ଯିବ ।

ଅନ୍ୟପଟେ ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ହରାଇ ଦିଏ ଏବଂ ନ୍ୟୁଜିଲାଣ୍ଡ ବାକି ମ୍ୟାଚରେ ବିଜୟୀ ହୁଏ ତେବେ ଭାରତ, ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡର ପଏଣ୍ଟ ସଂଖ୍ୟା ୬ ସମାନ ରହିବ । ଏମିତି ହେଲେ ପଏଣ୍ଟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ । ହେଲେ ଏହି ସମୀକରଣରେ ଭାରତ ପାଇଁ ସବୁଠୁ ବଡ ମୁସ୍କିଲ ଆଫଗାନିସ୍ତାନର ନେଟ ରନ ରେଟ୍ ଯୁକ୍ତ ୩ରୁ ଅଧିକ ରହିବା । ଏମିତିରେ ଆଫଗାନିସ୍ତାନ ଦଳ ଭାରତ କିମ୍ବା ନ୍ୟୁଜିଲାଣ୍ଡଠୁ ଉନ୍ନତ ରନରେଟ୍ ସହ ଦ୍ୱିତୀୟ ସ୍ଥାନରେ ରହିପାରେ? ଏଠାରେ ସ୍ପଷ୍ଟ କରି ଦେବାକୁ ଚାହୁଁ ଯେ, ଏହା ମାତ୍ର ଏକ ସମୀକରଣ, ନା ସମ୍ଭାବନା । ସମ୍ଭାବନା ଏହା ଯେ, ସ୍କଟଲାଣ୍ଡ ନ୍ୟୁଜିଲାଣ୍ଡକୁ ହରାଇ ପାରିବ ନାହିଁ ।