fbpx
BSKY
BJD SHG SKY
BJD YOUTH SKY

ତାଲିବାନୀଙ୍କ କବ୍ଜାକୁ ପୁଣି ଯିବ ଆଫଗାନିସ୍ତାନ! ମିଳିଲାଣି ଚେତାବନୀ…

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରାୟ ୨ ଦଶନ୍ଧି ପରେ ପୁଣିଥରେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଚାଲିବାର ଆଶଙ୍କା ସୃଷ୍ଟି ହେଲାଣି। ପ୍ରମୁଖ ରାଷ୍ଟ୍ର ଆମେରିକା ସମେତ ବିଦେଶୀ ସୈନ୍ୟ ପ୍ରତ୍ୟାହୃତ ପରେ ପୁଣିଥରେ ତାଲିବାନମାନେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଚାଲିଛନ୍ତି। ଦେଶକୁ ନିଜ କବ୍ଜାକୁ ନେବା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଥିବା ତାଲିବାନୀ ଆତଙ୍କୀମାନେ ଧମକ ମଧ୍ୟ ଦେଉଛନ୍ତି। ସେମାନଙ୍କ ନିର୍ଦ୍ଦେଶ ଅନୁସାରେ କଠୋର ନିୟମ ପାଳନ କରିବାକୁ ପଡ଼ିବ ଏବଂ ଯିଏ ନମାନିବ ତାକୁ ଦିଆଯିବ ସାଂଘାତିକ ଦଣ୍ଡ। ଏପରିକି ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯିବ ବୋଲି ଚେତାବନୀ ଦେଇସାରିଲେଣି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ଯେ ଦେଶରେ ସମଲିଙ୍ଗୀ ବଡ଼ କଠୋର ଦଣ୍ଡ ଦିଆଯିବ ବୋଲି କୁହାଯାଇଛି। ହାତଗୋଡ଼ କାଟି ଦିଆଯିବା ସହ ଆବଶ୍ୟକ ପଡ଼ିଲେ ସମଲିଙ୍ଗୀଙ୍କୁ ଜୀବନରୁ ମାରିଦିଆଯିବ ବୋଲି ତାଲିବାନୀମାନେ ଚେତାବନୀ ଦେଇଛନ୍ତି।

ଅନ୍ତର୍ଜାତୀୟ ଖବର ଅନୁସାରେ ତାଲିବାନୀ ଜଜ୍‌ ଗୁଲ ରହିମ ଜର୍ମାନୀର ଏକ ଖବରକାଗଜକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ଯେ ଆମେରିକା ସୈନ୍ୟ ଯିବାପରେ ଦେଶରେ ତାଲିବାନୀମାନେ ପୂରା ସକ୍ରିୟ ହୋଇ ନିଜ କବ୍ଜାକୁ ନେବାକୁ ଚାହୁଛନ୍ତି। ସେହିପରି ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ବ୍ୟବସ୍ଥା ରହିଛି। ପ୍ରଥମେ ଆଙ୍ଗୁଳି କାଟିଦିଆଯିବ ଏବଂ ପୁନଃ ଦୋଷ କଲେ ହାତ କାଟି ଦିଆଯିବ। ତାପରେ ଗୋଡ଼ ମଧ୍ୟ କାଟିଦିଆଯିବ। ବଡ଼ ଅପରାଧ କରିଥିଲେ ସମ୍ପୃକ୍ତ ଦୋଷୀକୁ ପଥର ମାରି ମାରି ଜୀବନରୁ ମାରିଦେବାକୁ ନିର୍ଦ୍ଦେଶ ଦିଆଯାଉଥିବା ସେ ସ୍ଵୀକାର କରିଛନ୍ତି। ଏଥିସହ ସେ ନିଜେ ଜଣେ ବ୍ୟକ୍ତିଙ୍କୁ ମୁଦି ଚୋରାଇବା ଅପରାଧରେ ହାତ କାଟିବାକୁ ଆଦେଶ ଦେଇଥିବା ମାନିଛନ୍ତି। ଏଥିସହ ମୁଦି ମାଲିକଙ୍କୁ ପଚରା ଯାଇଥିଲା ଯେ ଚୋରର ଗୋଡ଼ ମଧ୍ୟ କାଟି ଦିଆଯିବ କି? କିନ୍ତୁ ମାଲିକ କେବଳ ହାତ କାଟିବା ଯଥେଷ୍ଟ ବୋଲି କହିଥିବା ପ୍ରକାଶ କରିଛନ୍ତି ଗୁଲ ରହିମ। ସମଲିଙ୍ଗୀଙ୍କୁ ପଥର ମାରି ମାରି ହତ୍ୟା କରାଯିବ କିମ୍ବା ଏକ ପ୍ରାଚୀର କଡ଼ରେ ଠିଆ କରିଦିଆଯିବ, ଯେପରି ଉକ୍ତ ପ୍ରାଚୀର ପଡ଼ି ସମଲିଙ୍ଗୀଙ୍କ ମୃତ୍ୟୁ ଘଟିବ ବୋଲି ଗୁଲ୍‌ ରହିମ ପ୍ରକାଶ କରିଛନ୍ତି।

ଗୁଲ୍‌ ରହିମ ଆହୁରି କହିଛନ୍ତି ଯେ ମହିଳାମାନଙ୍କୁ ଏକଲା ଘରୁ ବାହାରିବା ନେଇ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ତାଲିବାନୀଙ୍କ ନିୟନ୍ତ୍ରଣରେ ରହିଥିବା ମଧ୍ୟ-ଆଫଗାନରେ ମହିଳାମାନେ ଘରୁ ବାହାରିବାକୁ ହେଲେ ଅନୁମତି ନେବାକୁ ପଡ଼ିବ। ସେହିପରି ଝିଅମାନେ ସ୍କୁଲ୍‌ ମଧ୍ୟ ଯାଇପାରିବେ କିନ୍ତୁ ସେଠାରେ ମହିଳା ହିଁ ପାଠ ପଢ଼ାଉଥିବା ଦରକାର। ଏଠାରେ ସୂଚନା ଯୋଗ୍ୟ ଯେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନୀଙ୍କ ଶାସନ ଚାଲିଥିଲା ଏବଂ ସେତେବେଳେ ମଧ୍ୟ ଇସଲାମ ଧର୍ମ ନାମରେ ତାଲିବାନୀମାନେ ଏଭଳି ବର୍ବର ନିୟମ ସବୁ ଲାଗୁ କରିଥିଲେ।

Get real time updates directly on you device, subscribe now.