ହୋମୱାର୍କ ପାଇଁ ଛାତ୍ରଙ୍କୁ ଦରମରା କଲେ ଶିକ୍ଷକ, ସ୍କୁଲ ମ୍ୟାନେଜମେଣ୍ଟ ବିରୋଧରେ ମାମଲା ରୁଜୁ କଲେ ପୀଡ଼ିତ ପରିବାର

ପାଟନା: ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବା ଦିଗରେ ଶିକ୍ଷକଙ୍କ ଗରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । କିନ୍ତୁ ବେଳେ ବେଳେ ଶିକ୍ଷକଙ୍କ କ୍ରୋଧର ପରିଣାମ ଛାତ୍ରଛାତ୍ରୀଙ୍କୁ ଭୋଗିବାକୁ ପଡ଼ିଥାଏ । ବିହାର ଅରୱଲ ଜିଲ୍ଲା ସ୍ଥିତ ଏକ ସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହୋମୱାର୍କ ନ କରିବାରୁ ଶିକ୍ଷକ ଜଣଙ୍କ ଛାତ୍ରଙ୍କୁ ପିଟି ପିଟି ଦରମରା କରିଦେଇଥିଲେ । ବର୍ତ୍ତମାନ ପୀଡ଼ିତ ଛାତ୍ର ଜଣଙ୍କ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି । ପୀଡ଼ିତଙ୍କ ପରିବାର ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇଛି ।

ସୂଚନାରୁ ପ୍ରକାଶ ବିହାର ଅରୱଲ ଜିଲ୍ଲା ସ୍ଥିତ ଏକ ସ୍କୁଲରେ ପଞ୍ଚମ ଶ୍ରେଣୀର ଛାତ୍ର ଅମିତ ରାଜ । ଅମିତଙ୍କ କହିବାନୁଯାୟୀ ନଭେମ୍ବର ୧୩ ତାରିଖ ଦିନ ସେ ହୋମୱାର୍କ ନ କରିଆସିଥିବାରୁ ଶିକ୍ଷକ ତାଙ୍କୁ ଏକ ବାଡ଼ିରେ ଜୋରରେ ପିଟିଥିଲେ । ଫଳରେ ତାଙ୍କ ବାମ ଆଖିରେ ଗଭୀର ଆଘାତ ଲାଗିଥିଲା । ଏ ବିଷୟରେ ସେ ତାଙ୍କ ମାତାପିତାଙ୍କୁ ଜଣାଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତର ଅମିତଙ୍କୁ ପାଟନା ହସ୍ପିଟାଲ ରେଫର କରିଥିଲେ । ଏସପି ରାଜେନ୍ଦ୍ର କୁମାର ଭିଲଙ୍କ କହିବାନୁଯାୟୀ ରବିବାର ଅମିତଙ୍କ ପରିବାର ଅଭିଯୁକ୍ତ ଶିକ୍ଷକ ଏବଂ ସ୍କୁଲ ମ୍ୟାନେଜମେଣ୍ଟ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି । ନିକଟରେ ଏଭଳି ଏକ ମାମଲା ଉତ୍ତର ପ୍ରଦେଶର କାନପୁରରୁ ଆସିଥିଲେ ଯେଉଁଥିରେ ସ୍କୁଲରେ ହୋମୱାର୍କ ନ କରିବାରୁ ଜଣେ ୪ ବର୍ଷୀୟ ଶିଶୁକୁ ଶିକ୍ଷକ ନିର୍ମମ ଭାବେ ପିଟିଥିଲେ । ପରେ ସ୍କୁଲର ସିସିଟିଭି ଫୁଟେଜ ଆଧାରରେ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।