Teacher’s Day 2025: କାହିଁକି ପାଳନ କରାଯାଏ ଗୁରୁ ଦିବସ? କଣ ରହିଛି ଏହାର ମହତ୍ତ୍ବ…

ଆଜି ଗୁରୁଦିବସ। ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଆଜି ଏକ ପବିତ୍ର ଦିନ। ତେବେ ଚାଲନ୍ତୁ ଜାଣିବା କାହିଁକି ପାଳନ କରାଯାଏ ଗୁରୁ ଦିବସ ଏବଂ କଣ ରହିଛି ଏହାର ମହତ୍ତ୍ବ...

ଓଡ଼ିଶା ଭାସ୍କର: ଆଜି ଗୁରୁଦିବସ। ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଆଜି ଏକ ପବିତ୍ର ଦିନ। ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ବରୂପ ଏହି ଦିବସ ପାଳିତ ହୋଇଆସୁଛି।

ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଆଜି ହେଉଛି ଜନ୍ମ ଦିବସ। ସେପ୍ଟେମ୍ବର ୫କୁ ୧୯୬୨ ମସିହାରୁ ଗୁରୁଦିବସ ଭାବେ ପାଳିତ ହୋଇଆସୁଛି। ତେବେ ଶିକ୍ଷା ପ୍ରତି ଡକ୍ଟର ରାଧାକ୍ରିଷ୍ଣନଙ୍କର ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି।

ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରୁଥିବା ଗୁରୁଙ୍କ ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ । ଗୁରୁ ହେଉଛନ୍ତି ସାକ୍ଷାତ୍‌ ପରମ୍‌ବ୍ରହ୍ମ। ଗୁରୁ ହେଉଛନ୍ତି ମଣିଷ ତିଆରି କାରଖାନାର ବିନ୍ଧାଣି। କେତେବେଳେ ଗୁରୁଙ୍କ ଆକଟ ଭରା କଠୋର ଅନୁଶାସନ ତ ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା ଯୋଗୁ ଜଣେ ଛାତ୍ର ଜୀବନରେ ଆଗକୁ ବଢ଼ିଥାଏ। ସେଥିପାଇଁ ସର୍ବ ପ୍ରଥମେ ଗୁରୁଙ୍କ ଚରଣ ସ୍ପର୍ଶ କରିବା ଉଚିତ। ଗୁରୁଙ୍କ ଜ୍ଞାନ ଓ କର୍ମ ଆଗରେ ଆଜି ନତମସ୍ତକ ସମସ୍ତେ । ବିନା ଗୁରୁରେ କେହି କେବେ ସଫଳତାର ଶିଖର ଛୁଇଁପାରି ନ ଥାଏ ।

ଗୁରୁ ଶିଷ୍ୟର ପରମ୍ପରା ଆଜିର ନୁହେଁ ପୁରାଣ କାଳରୁ ଏହି ପରମ୍ପରା ରହି ଆସିଛି। ବେଦବ୍ୟାସଙ୍କ ଠାରୁ ଆରମ୍ଭ କରି ଦ୍ରୋଣାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ଗୁରୁଙ୍କ ପ୍ରତି ଥିବା ଶିଷ୍ୟର ଭକ୍ତି ଭାବକୁ। ଭାରତୀୟ ସଂସ୍କୃତି ହିଁ ଗୁରୁ-ଶିଷ୍ୟ ପରମ୍ପରା ଉପରେ ପ୍ରତିଷ୍ଠିତ।

ସେଇଥିପାଇଁ ରାମାୟଣ, ମହାଭାରତ, ବେଦ, ଉପନିଷଦ, ଗୀତା ଓ ଭାଗବତରେ ଗୁରୁକୁଳ ଆଶ୍ରମର ମହନୀୟତା ବିଶେଷ କରି ଶିଷ୍ୟମାନଙ୍କୁ ସାଧୁତା-ନୈତିକତା ଓ ମୂଲ୍ୟବୋଧ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଥିଲା।  ବିନା ଗୁରୁରେ ଜୀବନରେ ଗତି, ମୁକ୍ତି, ମୋକ୍ଷ ପ୍ରାପ୍ତି ସମ୍ଭବ ନୁହେଁ। ଯେଉଁ ସମାଜରେ ଗୁରୁଙ୍କୁ ଉଚ୍ଚ ଆସନ ମିଳିଛି, ସେ ସମାଜ ସେତେ ସମୃଦ୍ଧ। କାରଣ ବିକଶିତ ମାନବ ସମ୍ବଳ ତିଆରିରେ ଗୁରୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।

କେବେଠୁ ଏବଂ କାହିଁକି ପାଳନ କରାଯାଉଛି ଗୁରୁ ଦିବସ ?

ଆମ ଦେଶରେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଏ। ଭାରତର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥିରେ ପାଳିତ ହୁଏ ଗୁରୁ ଦିବସ। ୧୮୮୮ ମସିହା ଆଜିର ଦିନରେ ତାମିଲନାଡ଼ୁର ତିରୁଟ୍ଟନୀ ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ମନେ ରଖିବା ପାଇଁ ଏହି ଦିବସ ପାଳନ କରାଯାଏ।

୧୯୬୨ ମସିହାରେ ସେ ଭାରତର ଦ୍ବିତୀୟ ରାଷ୍ଟ୍ରପତି ହେଲେ। ସେ ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ। ମାତ୍ର ସେ ସେମାନଙ୍କୁ ନିଜ ଜନ୍ମଦିନ ପାଳିବାକୁ ମନା କରିଥିଲେ। ଜନ୍ମଦିନ ପାଳନ କରିବା ଅପେକ୍ଷା ଏହି ଦିନକୁ ଗୁରୁମାନଙ୍କ ଦିବସ ଭାବେ ପାଳନ କରାଗଲେ, ତାହା ତାଙ୍କ ପାଇଁ ବଡ଼ ସମ୍ମାନ ହେବ ବୋଲି କହିଥିଲେ। ସେବେଠୁ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସକୁ ‘ଗୁରୁ ଦିବସ’ ଭାବେ ପାଳନ ହୋଇ ଆସୁଛି।

ରାଧାକ୍ରିଷ୍ଣନ୍‌ଙ୍କ କ୍ୟାରିୟର ଶିକ୍ଷକତାରୁ ଆରମ୍ଭ ହୋଇଥିଲା। ଶିକ୍ଷାର ମହତ୍ତ୍ବ ଉପରେ ସଚେତନ କରିବା ଥିଲା ତାଙ୍କ ଜୀବନର ଲକ୍ଷ୍ୟ। ତା’ସହ ଦେଶର ସାକ୍ଷରତା ହାର କିଭଳି ଉପରକୁ ଉଠିବ, ତାହା ଥିଲା ତାଙ୍କର ଅନ୍ୟତମ ଲକ୍ଷ୍ୟ। ସେ ଭାରତୀୟ ଦର୍ଶନ, ଧର୍ମ ଦର୍ଶନରେ ଶିକ୍ଷାଦାନ କରିଥିଲେ। ବେଦ ଉପନିଷଦକୁ ସୁନ୍ଦର ଭାବେ ବ୍ୟାଖ୍ୟା କରୁଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିନ ସ୍କୁଲ, କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ଗୁରୁ ଦିବସ ପାଳନ କରାଯାଏ।