fbpx

ଫିଫା ର‌୍ୟାଙ୍କିଙ୍ଗରେ ବଡ଼ ଲମ୍ଫ ମାରିଲା ଭାରତ; ତଥାପି ଏସୀଆନ୍ ଗେମ୍ସରେ ଭାଗ ନେବା ରାସ୍ତାରେ ପ୍ରତିବନ୍ଧକ

AAKASH

ନୂଆଦିଲ୍ଲୀ: ଗଲା କିଛି ବର୍ଷ ହେବ ଭାରତୀୟ ପୁରୁଷ ଫୁଟବଲ ଟିମ ଭଲ ପ୍ରଦର୍ଶନ କରିଆସୁଛନ୍ତି । ଗୁରୁବାର ପ୍ରକାଶ ପାଇଥିବା ନୁଆ ଫିଫା ର‌୍ୟାଙ୍କିଙ୍ଗରେ ଭାରତୀୟ ଦଳ ଶ୍ରେଷ୍ଠ ୧୦୦ ଭିତରେ ସ୍ଥାନ ପାଇଛି । ଭାରତୀୟ ଦଳ ବର୍ତ୍ତମାନ ୯୯ତମ ସ୍ଥାନରେ ଅଛି । ଏହା ପୂର୍ବରୁ ୨୦୧୮ରେ ଭାରତୀୟ ଦଳ ଶ୍ରେଷ୍ଠ ୧୦୦ ଭିତରେ ସ୍ଥାନ ପାଇଥିଲା । କୁହାଯାଉଛି ଯେ ଗତ ୫ବର୍ଷ ଭିତରେ ଏହା ଭାରତର ଶ୍ରେଷ୍ଠ ର‌୍ୟାଙ୍କିଙ୍ଗ । ନିକଟରେ ଖେଳା ଯାଇଥିବା ଏକ ବଡ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଭଲ ପଦର୍ଶନ ପାଇଁ ଏହି ପଦବୀ ପାଇବା ପାଇଁ ସକ୍ଷମ ହୋଇଛି । ତେବେ ଭାରତର ଏତେ ଭଲ ପ୍ରଦର୍ଶନ ପରେ ମଧ୍ୟ ଏହାକୁ ଏସୀଆନ୍ ଗେମ୍ସକୁ ପଠାଯାଉ ନାହିଁ ।

ତେବେ ଚଳିତ ବର୍ଷ ଏସିଆନ୍ ଗେମ୍ସ ଚାଇନାରେ ଖେଳାଯିବ। ଏଥିରେ ଆଥ୍‌ଲେଟିକ, କ୍ରିକେଟ, ଫୁଟବଲ ସମେତ ଅନେକ ବଡ ବଡ ଖେଳ ଆୟୋଜିତ ହେବ । ଏଥିରେ ଭାଗ ନେବାପାଇଁ ଭାରତୀୟ ଫୁଟବଲ ଟିମ କଠିନ ପରିଶ୍ରମ କରିଥିଲେ ମଧ୍ୟ ଏସିଆନ୍ ଗେମ୍ସରେ ଅଂଶଗ୍ରହଣ କରିପାରିବ ନାହିଁ । ତେବେ ସରକାରଙ୍କ ଦ୍ୱାରା କରାଯାଇଥିବା ନୀତି କାରଣରୁ ଭାରତୀୟ ଫୁଟବଲ ଟିମ ଏସିଆନ୍ ଗେମ୍ସରୁ ବାଦ ପଡିଛି । ସରକାର ଏହି ଖେଳ ପାଇଁ ନିଜସ୍ୱ ନୀତି ପ୍ରସ୍ତୁତ କରିଥିଲେ, ଯାହା ଅନୁଯାୟୀ ଦଳ ସେତେବେଳେ ଖେଳରେ ଅଂଶଗ୍ରହଣ କରିପାରିବ ଯେତେବେଳେ ଦଳ ଏସିଆର ଶ୍ରେଷ୍ଠ ୮ ମାନ୍ୟତା ଭିତରେ ରହିଥିବ। କିନ୍ତୁ ଭାରତୀୟ ଫୁଟବଲ ଟିମ ଏସିଆ ର‌୍ୟାଙ୍କିଙ୍ଗରେ୧୮ତମ ସ୍ଥାନରେ ଥିଲା ଯେଉଁ କାରଣରୁ ଏସୀଆନ ଗେମ୍ସରୁ ଭାରତ ବାଦ ପଡିଛି ।

ନିକଟରେ ଭାରତରେ ଖେଳାଯାଇଥିବା ସାଫ ଚମ୍ପିଆନସିପ୍ ଟାଇଟଲ ପାଇଁ ଭାରତୀୟ ଦଳ ୯୯ତମ ସ୍ଥାନରେ ପହଞ୍ଚି ପାରିଛି । ତେବେ ଫିଫା ର‌୍ୟାଙ୍କିଙ୍ଗରେ ଭାରତ ବର୍ତ୍ତମାନ ୧୨୦୮.୬୯ ପଏଣ୍ଟ ପାଇଛି । ଭାରତର ସର୍ବଶ୍ରେଷ୍ଠ ଫିଫା ର‌୍ୟାଙ୍କିଙ୍ଗ ହେଉଛି ୯୪ ଯାହା ଦଳ ପ୍ରଥମ ଥର ୧୯୯୬ରେ ହାସଲ କରିଥିଲା । ଏହା ପୂର୍ବରୁ ୧୯୯୩ରେ ମଧ୍ୟ ଦଳ୯୯ତମ ସ୍ଥାନରେ ଥିଲା । ଏହା ସହ ୨୦୧୭ ଓ ୨୦୧୮ରେ ଦଳ ୯୬ତମ ସ୍ଥାନ ହାସଲ କରିଥିଲା । ବିଶ୍ୱ ଚମ୍ପିଆନ ଆର୍ଜେଣ୍ଟିନା ଫିଫା ର‌୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ଥିବା ବେଳେ ଏହା ପଛକୁ ଫ୍ରାନ୍ସ, ବ୍ରାଜିଲ, ଇଂଲଣ୍ଡ ଓ ବେଲଜିୟମ ଶୀର୍ଷ ପାଞ୍ଚ ଭିତରେ ରହିଛି ।

Get real time updates directly on you device, subscribe now.