fbpx
BSKY
BJD MS SKY
BJD YOUTH SKY

ମଣିପୁର ମହିଳା ଭିଡିଓ ମାମଲାରେ ଆଉ ୨ ଗିରଫ: ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ଭିଡିଓ କରିବା ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଭିତରେ ମାମଲାର ମୁଖ୍ୟ ଅଭିଯୁକ୍ତ ମଧ୍ୟ ସାମିଲ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂହ । ତେବେ ଏହାପରେ ମଧ୍ୟ ମାମଲାରେ ଜଣେ ଅଭିଯୁକ୍ତ ଏବେ ଜେଲ ଭିତରେ ରହିଥିବା ସୂଚନା ମିଳିଛି । ଗତକାଲି ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଉଥିବାର ଏକ ଭିଡିଓ ଭାଇରାଲ ହେବା ପରେ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ଏହି ଦୁଇ ମହିଳା ଉତ୍ତର-ପୂର୍ବ ରାଜ୍ୟର କୁକି ସମ୍ପ୍ରଦାୟର ହୋଇଥିବା ବେଳେ ଘଟଣାର ଭିଡିଓ ଗତ ମେ’ ୪ ତାରିଖରେ ରେକର୍ଡ କରାଯାଇଥିବା କୁହାଯାଇଛି ।

ଅଭିଯୁକ୍ତ ଉଭୟ ମହିଳାଙ୍କୁ ମୁକ୍ତ କରିବା ପୂର୍ବରୁ ସେମାନଙ୍କୁ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ମୁଖ୍ୟମନ୍ତ୍ରୀ ବିରେନ ସିଂହ କହିଛନ୍ତି ଯେ, ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ତଦନ୍ତ ଜାରି ରହିଛି । ତେବେ ଏଭଳି ଏକ ଘଟଣାକୁ ନେଇ ସେ ଆଶ୍ଚର୍ୟ୍ୟ ହେବା ସହ ଏହାକୁ ‘ମାନବିକତା ବିରୋଧରେ ଏକ ଅପରାଧ ବୋଲି କହିଛନ୍ତି । ତେଣୁ ଦୋଷୀକୁ ମୃତ୍ୟୁଦଣ୍ଡ ଦେବାକୁ ପୂର୍ଣ୍ଣ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓକୁ ନେଇ ଦେଶବ୍ୟାପୀ ଆକ୍ରୋଶ ପରେ ମଣିପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ଆରମ୍ଭ କରିଥିଲା । ପ୍ରଥମେ ଘଟଣାର ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରିଛି । ଭାଇରାଲ ହେଉଥିବା ଏହି ୨୬ ସେକେଣ୍ଡର ଭିଡିଓରେ ହୁରେମ ହେରାଦେଶ ସିଂ ଉତେଜିତ ମୈତେଇ ସମ୍ପ୍ରଦାୟର ଲୋକମାନଙ୍କୁ କିଛି ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଥିଲା । ଥୋବାଲ ଜିଲ୍ଲାରୁ ହୁରେମଙ୍କୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛି ।

ଭିଡିଓ ଅନୁସାରେ, ଅଭିଯୁକ୍ତମାନଙ୍କ ବିରୋଧରେ ଅପହରଣ, ଗଣ ବଳାତ୍କାର ଏବଂ ଅଜଣା ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଏହି ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନେତୃତ୍ୱରେ ସାରା ରାତି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ଏହାବ୍ୟତୀତ ଅଭିଯୁକ୍ତ ହୁରେମର ପରିବାରକୁ ଅଲଗା କରିଦେବା ସହିତ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ଗ୍ରାମବାସୀ ।

ସୂଚନା ଅନୁସାରେ, ଗତ ମେ’ ୩ ତାରିଖରୁ ମଣିପୁରରେ ଜାତିଗତ ହିଂସା ଆରମ୍ଭ ହେବା ଦିନଠାରୁ ପ୍ରାୟ ୧୬୦ ଜଣରୁ ଅଧିକ ଲୋକ ପ୍ରାଣ ହରାଇବା ସହ ଅନେକ ଲୋକ ଆହତ ହୋଇଛନ୍ତି । ମେଇତେଇ ସମ୍ପ୍ରଦାୟର ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିରେ ବିରୋଧ କରିବା ପାଇଁ ପାହାଡ ଜିଲ୍ଲାରେ ଏକ ‘ଆଦିବାସୀ ସଲିଡିଟି ମାର୍ଚ୍ଚ’ ଆୟୋଜନ କରାଯିବା ପରେ ଏହି ଅଶାନ୍ତି ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.