fbpx

୫,୦୦୦ରୁ ୬,୩୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି Paytm; ରିପୋର୍ଟ

AAKASH

ମୁମ୍ୱାଇ: ଫାଇନାନ୍ସିଆଲ ଏକ୍ସପ୍ରେସରର ରିପୋର୍ଟ ଅନୁଯାୟୀ କର୍ମଚାରୀ ଖର୍ଚ୍ଚକୁ ହ୍ରାସ କରିବାକୁ ଚାହୁଁଛି ପେଟିଏମ୍। କମ୍ପାନି ଏହାର ୧୫ରୁ ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି ରିପୋର୍ଟରେ କୁହାଯାଇଛି। ଓ୍ଵାନ୍୯୭ କମ୍ୟୁନିକେସନ୍ ନିଜର ବଢ଼ୁଥିବା କ୍ଷତିକୁ ନିୟନ୍ତ୍ରଣ କରିବା ପାଇଁ ୫,୦୦୦-୬,୩୦୦ କର୍ମଚାରୀଙ୍କୁ କମ୍ କରି ୪୦୦-୫୦୦ କୋଟି ଟଙ୍କା ସଞ୍ଚୟ କରିବାକୁ ଲକ୍ଷ୍ୟ ରଖିଛି।

୨୦୨୩ ଆର୍ଥିକ ବର୍ଷରେ କମ୍ପାନିରେ ହାରାହାରି ୩୨,୭୯୮ ଜଣ କର୍ମଚାରୀ ପେରୋଲରେ ଥିବା ବେଳେ ୨୯,୫୦୩ ଜଣ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ। କର୍ମଚାରୀ ପିଛା ହାରାହାରି ଖର୍ଚ୍ଚ ୭.୮୭ ଲକ୍ଷ ଟଙ୍କା ଥିଲା। ୨୦୨୪ ଆର୍ଥିକ ବର୍ଷରେ ମୋଟ କର୍ମଚାରୀ ଖର୍ଚ୍ଚ ବାର୍ଷିକ ୩୪ ପ୍ରତିଶତ ବୃଦ୍ଧି ପାଇ ୩୧୨୪ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଫଳରେ କର୍ମଚାରୀ ପିଛା ହାରାହାରି ଖର୍ଚ୍ଚ ୧୦.୬ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ହ୍ରାସ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ କାର୍ଯ୍ୟକୁ ଶୃଙ୍ଖଳିତ କରିବା ଏବଂ ଖର୍ଚ୍ଚ ହ୍ରାସ କରିବା ପାଇଁ ଡିସେମ୍ବରରେ ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଆର୍ଥିକ ବର୍ଷ ୨୦୨୪ ପାଇଁ କର୍ମଚାରୀଙ୍କ ସଠିକ ସଂଖ୍ୟା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ।

ଏକ ନିବେଶକ ଉପସ୍ଥାପନାରେ କମ୍ପାନୀ ଦର୍ଶାଇଛି ଯେ ଟେକ୍ନୋଲୋଜି, ବ୍ୟବସାୟୀ ବିକ୍ରୟ ଏବଂ ଆର୍ଥିକ ସେବାରେ ନିବେଶ ଯୋଗୁଁ କର୍ମଚାରୀଙ୍କ ଖର୍ଚ୍ଚ ବୃଦ୍ଧି ପାଇଛି । ଆଗକୁ ଯାଇ ଏହି ସବୁ କ୍ଷେତ୍ରରେ ନିବେଶ ଜାରି ରଖିଥିବା ବେଳେ ଅନ୍ୟ ବିଭାଗରେ ଖର୍ଚ୍ଚ ହ୍ରାସ କରିବାକୁ କଂପାନି ଯୋଜନା କରିଛି।

 

Get real time updates directly on you device, subscribe now.