fbpx

WTC Final ପାଇଁ ଟିମ ଇଣ୍ଡିଆ ରଚୁଛି ଚକ୍ରବ୍ୟୁହ: ଦଳରେ ସାମିଲ ହେଲେ ୩ ଖତରନାକ ଖେଳାଳି

ନୂଆଦିଲ୍ଲୀ: ଜୁନ୍ ୭ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ଏବେଠାରୁ ନୂଆ ରଣନୀତି ଆରମ୍ଭ କରିସାରିଛି ଟିମ ମ୍ୟାନେଜମେଣ୍ଟ । ଅଷ୍ଟ୍ରେଲିଆକୁ ମାତ୍ ଦେବା ପାଇଁ ଦଳରେ ଅଚାନକ ୩ ଜଣ ନୂଆ ଏବଂ ଷ୍ଟାର ଖେଳାଳିଙ୍କ ଏଣ୍ଟ୍ରି କରାଯାଇଛି । ଯାହାଦ୍ୱାରା ଭାରତୀୟ ଦଳର ଆତ୍ମବିଶ୍ୱାସ ବଢିବା ସହିତ ଶକ୍ତିଶାଳୀ ମଧ୍ୟ ପାଲଟି ଯାଇଛି ରୋହିତ ସେନା । ଇଂଲଣ୍ଡର ଓଭାଳରେ ଇତିହାସ ରଚିବା ପାଇଁ ବ୍ରହ୍ମାସ୍ତ୍ର ସଜାଉଛନ୍ତି କୋଚ୍ ରାହୁଲ ଦ୍ରାବିଡ ।

ତେବେ ଏହି ମ୍ୟାଚ ପୂର୍ବରୁ ଅଭିଜ୍ଞ ଖେଳାଳି କେ.ଏଲ ରାହୁଲ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡିଛନ୍ତି । ତେଣୁ ତାଙ୍କ ସ୍ଥାନରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଦଳରେ ସ୍ଥାନ ପାଇଛନ୍ତି । ତାଙ୍କ ବ୍ୟତୀତ ଦଳରେ ଆଉ ୩ ଜଣଙ୍କୁ ସାମିଲ କରିଛି ଟିମ ଇଣ୍ଡିଆ । ଭାରତୀୟ ଦଳର ଟି-୨୦ ଷ୍ଟାର ସୂର୍ଯ୍ୟକୁମାର ଯାଦବ ଏବଂ ଚେନ୍ନାଇ ସୁପର କିଙ୍ଗସର ଷ୍ୟାର ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ପାଇଁ ଦଳରେ ସାମିଲ ହୋଇଛନ୍ତି । ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଟିମ ଇଣ୍ଡିଆରେ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବୋଲର ମୁକେଶ କୁମାରଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ତେବେ ଫାଇନାଲ ମ୍ୟାଚରେ ଏହି ୩ ଜଣ ଷ୍ଟାଣ୍ଡବାଏ ଖେଳାଳି ଭାବରେ ସାମିଲ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଫେଲ ମାରିବା ସହ ଆଇପିଏଲର ପ୍ରଥମ କିଛିଟା ମ୍ୟାଚରେ ପ୍ରଦର୍ଶନ କରିଥିଲେ ସୂର୍ଯ୍ୟକୁମାର । କିନ୍ତୁ ବର୍ତ୍ତମାନ ସେ ପୁଣିଥରେ କମବ୍ୟାକ କରିସାରିଛନ୍ତି ଏବଂ ଫାଇନାଳ ମ୍ୟାଚରେ ସୁଯୋଗ ପାଇଲେ ପ୍ରମୁଖ ଭୂମିକା ତୁଲାଇବେ ବୋଲି ଆଶା କରାଯାଉଛି ।

ଏହାବ୍ୟତୀତ ଋତୁରାଜ ଗାଏକ୍ୱାଡ ଲଗାତାର ଚେନ୍ନାଇ ପାଇଁ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ତେଣୁ ଭାରତୀୟ ଟିମ ତାଙ୍କ ଉପରେ ଭରସା କରିଛି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମୁକେଶ କୁମାରଙ୍କ ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ଯେଉଁଥିପାଇଁ ଷ୍ଟାଣ୍ଡବାଏ ଖେଳାଳି ଭାବରେ ସେ ଟିମ ଇଣ୍ଡିଆରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ଚେନ୍ନାଇ ପାଇଁ ଜବରଦସ୍ତ ଖେଳ ଦେଖାଇ ଭାରତୀୟ ଦଳରେ ନିଜ ସ୍ଥାନ ଫେରି ପାଇଛନ୍ତି ପୂର୍ବତନ ଉପ-ଅଧିନାୟକ ଅଜିଙ୍କ୍ୟା ରାହାଣେ ।

ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟା ରାହାଣେ, ଇଶାନ କିଶାନ, କେ.ଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ

ଷ୍ଟାଣ୍ଡବାଏ ଖେଳାଳି: ସୂର୍ଯ୍ୟକୁମାର ଯାଦବ, ଋତୁରାଜ ଗାଏକ୍ୱାଡ, ମୁକେଶ କୁମାର

Get real time updates directly on you device, subscribe now.