fbpx

Team India ଖେଳିବ ୨ ଦିନର ସ୍ପେଶାଲ ଟେଷ୍ଟ: ଅଷ୍ଟ୍ରେଲିଆ ବିପକ୍ଷରେ ଗମ୍ଭୀର-ରୋହିତଙ୍କ ପାଇଁ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କୋଚ୍ ଗୌତମ ଗମ୍ଭୀରଙ୍କ ପ୍ରଥମ ସିରିଜ ଦୁଃସ୍ୱପ୍ନ ପାଲଟିଯାଇଛି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପରାସ୍ତ ହେବା ପରେ ଗମ୍ଭୀରଙ୍କ କୋଚିଙ୍ଗକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହାଭିତରେ ଆଉ ଏକ ସ୍ପେଶାଲ ମ୍ୟାଚ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ନଭେମ୍ବର ମାସରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ । ଉଭୟ ଦଳ ମଧ୍ୟରେ ୫ଟି ଟେଷ୍ଟ ଖେଳାଯିବାର ସୂଚୀ ରହିଛି । ବର୍ଡ ଗାଭାସ୍କର ଟ୍ରଫି ଇତିହାସରେ ପ୍ରଥମ ଥର ଉଭୟ ଦଳ ମଧ୍ୟରେ ୫ଟି ଟେଷ୍ଟ ଖେଳାଯିବ, ଯେଉଁଥିରେ ସାମିଲ ରହିବ ଏକ ଡେ-ନାଇଟ ଟେଷ୍ଟ । ଏଥିପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି ।

ଟିମ ଇଣ୍ଡିଆ ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତ ପରେ ପ୍ରଥମ ଥର ଟେଷ୍ଟ ସିରିଜ ପାଇଁ ଗସ୍ତ କରିବ । ତେବେ ଗତ ଥର ଡେ-ନାଇଟ ଟେଷ୍ଟରେ ଟିମ ଇଣ୍ଡିଆର ପ୍ରଦର୍ଶନ ଖୁବ ଖରାପ ରହିଥିଲା । ତେଣୁ ଏହି ମ୍ୟାଚ ପୂର୍ବରୁ ଭାରତ ନୂଆ ପ୍ଲାନ ସହ ଅଷ୍ଟ୍ରେଲିଆ ଗସ୍ତ କରିବ । ପିଙ୍କ ବଲ୍ ଟେଷ୍ଟ ଖେଳିବା ପୂର୍ବରୁ ଭାରତ ଏକ ସ୍ପେଶାଲ ମ୍ୟାଚ ଖେଳିବା ପାଇଁ ଯୋଜନା କରିଛି । ଅଷ୍ଟ୍ରେଲିଆର ପ୍ରାଇମ ମିନିଷ୍ଟର ୧୧ ବିପକ୍ଷରେ ଭାରତ ଏହି ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୧ ପର୍ଯ୍ୟନ୍ତ ୨ ଦିନିକିଆ ଡେ-ନାଇଟ୍ ପ୍ରାକ୍ଟିସ ମ୍ୟାଚ ଖେଳିବ । ଗତ ୨ ବର୍ଷରେ ଟିମ ଇଣ୍ଡିଆ କୌଣସି ଡେ-ନାଇଟ୍ ଟେଷ୍ଟ ମ୍ୟାଚ ଖେଳିନାହିଁ । ତେଣୁ ଏହି ପ୍ରାକ୍ଟିସ ମ୍ୟାଚ ରୋହିତ ସେନାକୁ ପସ୍ତୁତି ପାଇଁ ଖୁବ ସହାୟକ ହେବ । ତେବେ କୋଚ୍ ଗମ୍ଭୀର ଏବଂ ଅଧିନାୟକ ରୋହିତଙ୍କ ପାଇଁ ଏହା ଏକ ଅଗ୍ନିପରୀକ୍ଷା ହେବ ବୋଲି ମଧ୍ୟ କୁହାଯାଉଛି ।

ବର୍ତ୍ତମାନ ସୁଦ୍ଧା ଭାରତ ମୋଟ ୪ଟି ଡେ-ନାଇଟ ଟେଷ୍ଟ ମ୍ୟାଚ୍ ଖେଳିତିବା ବେଳେ ଏଥିରୁ ୩ଟି ମ୍ୟାଚ୍ ଭାରତରେ ଖେଳାଯାଇଛି । ଏହି ସମସ୍ତ ମ୍ୟାଚରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି । କିନ୍ତୁ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଏକମାତ୍ର ଡେ-ନାଇଟ ଟେଷ୍ଟ ମ୍ୟାଚରେ ଭାରତ ଏକ ଲଜ୍ଜାଜନକ ପ୍ରଦର୍ଶନରେ ପରାସ୍ତ ହୋଇଥିଲା । ଦମଦାର ଆରମ୍ଭ କରିଥିବା ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୨୪୪ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲ ଆଉଟ ହୋଇ ମ୍ୟାଚ ହାତଛଡ଼ା କରିଥିଲା । ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ୧୨ଟି ଡେ-ନାଇଟ ଟେଷ୍ଟ ମ୍ୟାଚରୁ ୧୧ଟି ମ୍ୟାଚରେ ବିଜୟୀ ହୋଇଛି ଏବଂ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି ।

Get real time updates directly on you device, subscribe now.