fbpx

ପାକିସ୍ତାନକୁ ହରାଇ ଇତିହାସ ଲେଖିଲା ଟିମ ଇଣ୍ଡିଆ: ସବୁଠୁ କମ୍ ରନ୍ କରି ଜିତିଲା ରୋହିତ ସେନା

Advertisement

ନୂଆଦିଲ୍ଲୀ: ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ଏଥିରେ ଖୁବ ସଂଘର୍ଷ ଦେଖାଯାଇଛି । ମ୍ୟାଚ ଜିତିବା ପାଇଁ ଉଭୟ ଦଳ ମଧ୍ୟ କଡ଼ା ଟକ୍କର ହୋଇଥିବା ବେଳେ ଶେଷରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଜଶପ୍ରୀତ ବୁମରାହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ବୋଲିଂ ବଳରେ ଭାରତ ଏହି ମ୍ୟାଚ ଉପରେ କବଜା କରିଛି । ଏହି ବିଜୟ ସହିତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ଟିମ ଇଣ୍ଡିଆ । ଟି-୨୦ ମ୍ୟାଚରେ କମ୍ ରନର ଲକ୍ଷ୍ୟ ଦେଇ ମଧ୍ୟ ବିଜୟ ହାସଲ କରିବାରେ ସଫଳ ହୋଇଛି ରୋହିତ ସେନା । ତେବେ ଭାରତର ଏହି ବିଜୟ ଟି-୨୦ ବିଶ୍ୱକପରେ ଏକ ଇତିହାସ ସୃଷ୍ଟି କରିଛି ।

ପାକିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୨୦ ରନର ଲକ୍ଷ୍ୟ ଦେଇଥିଲା ଭାରତ । ଟିମ ଇଣ୍ଡିଆର ଏହି ଛୋଟ ଲକ୍ଷ୍ୟ ମଧ୍ୟ ପାକିସ୍ତାନ ପାଇଁ ମହଙ୍ଗା ପଡ଼ିଛି । ୨୦ ଓଭରରେ ପାକିସ୍ତାନ ୭ ୱିକେଟ ହରାଇ ମାତ୍ର ୧୧୩ ରନ୍ କରିବାରେ ସକ୍ଷମ ହୋଇପାରିଛି । ଯାହା ଫଳରେ ମ୍ୟାଚରେ ଏକ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ବିଜୟ ପରେ ଭାରତ ସଂଯୁକ୍ତ ଦଳ ଭାବରେ ସବୁଠାରୁ କମ୍ ରନ୍ ଡିଫେଣ୍ଡ କରିବାରେ ସଫଳ ହୋଇଛି । ଟି-୨୦ ବିଶ୍ୱକପରେ ୧୨୦ ବା ତା’ଠାରୁ କମ୍ ରନ୍ ଲକ୍ଷ୍ୟ ଦେଇ ଏଥିରେ ବିଜୟ ହାସଲ କରିବାରେ ଦ୍ୱିତୀୟ ଦଳ ପାଲଟିଛି ଟିମ ଇଣ୍ଡିଆ । ଏହାପୂର୍ବରୁ ୨୦୧୪ ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି କାରନାମା କରିଥିଲା ଶ୍ରୀଲଙ୍କା । ନ୍ୟୁଜିଲାଣ୍ଡକୁ ୧୨୦ ରନର ଲକ୍ଷ୍ୟ ଦେଇ ଶ୍ରୀଲଙ୍କା ବିଜୟ ହାସଲ କରିଥିଲା ।

ଏହାବ୍ୟତୀତ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ସପ୍ତମ ବିଜୟ ହାସଲ କରିଛି ଭାରତ । ଏହାସହିତ କୌଣସି ଗୋଟିଏ ଦଳକୁ ୭ ଥର ହରାଇଥିବା ପ୍ରଥମ ଦେଶ ପାଲଟିଛି ଟିମ ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ଉଭୟ ଦେଶ ମଧ୍ୟରେ ୮ଟି ମ୍ୟାଚ ଖେଳା ଯାଇଥିବା ବେଳେ ଭାରତ ୭ଟି ବିଜୟ ହାସଲ କରିଛି । ଏଥିରେ ୨୦୦୭ ବିଶ୍ୱକପର ବୋଲ୍-ଆଉଟ ମେଥଡ୍ ମଧ୍ୟ ସାମିଲ ରହିଛି । ତେବେ ପାକିସ୍ତାନ ୨୦୨୧ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଏକମାତ୍ର ବିଜୟ ହାସଲ କରିପାରିଛି ।

Get real time updates directly on you device, subscribe now.