ନୂଆଦିଲ୍ଲୀ: ଜଣେ ନାବାଳକ ଅନ୍ୟ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଏକାଧିକ ଥର ଛୁରୀମାଡ଼ କରି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ଉତ୍ତରପୂର୍ବ ଭାଗରେ ଥିବା ୱେଲକମ ଅଞ୍ଚଳରେ । ମାତ୍ର ୩୫୦ ଟଙ୍କା ପାଇଁ ଏଭଳି ଏକ ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଏହି ପୂରା ଘଟଣା ପାଖରେ ଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ନାବାଳକ ଗତ କାଲି ରାତି ପ୍ରାୟ ୧୦.୨୦ରେ ଜନତା ମଜଡୋର କଲୋନୀରେ ଷ୍ଟ୍ରୀଟ ନମ୍ବର ୧୮ରେ ପୀଡିତଙ୍କ ନିକଟକୁ ଯାଇ ବିରିୟାନି ପାଇଁ କିଛି ଟଙ୍କା ମାଗିଥିଲା। ତେବେ ପୀଡିତ ତାଙ୍କୁ ଟଙ୍କା ଦେବାକୁ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।ଏହାପରେ ଆକ୍ରମଣକାରୀ ନାବାଳକଙ୍କଠାରୁ ଜବରଦସ୍ତି ପଇସା ଛଡ଼ାଇବାକୁ ଲାଗିଥିଲା । ନାବାଳକ ବାଧା ଦେବାରୁ ଅଭିଯୁକ୍ତ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ।
ସେ ପ୍ରଥମେ ପୀଡିତଙ୍କ ଗଳା ଚିପି ବେହୋସ କରିଥିଲା । ପରେ ମୃତକଙ୍କ ଶରୀରକୁ ୬୦ ଥର ନୃଶଂସ ଭାବରେ ଛୁରୀ ମାରିବା ସହ ଗଳା ମଧ୍ୟ କାଟିଥିଲା । ଏହା ପରେ ମୃତଦେହକୁ ରାସ୍ତାରେ ଘୋଷାରି କିଛି ସମୟ ବୁଲିବା ପରେ ହଠାତ ମୃତ ଦେହ ଉପରେ ନାଚିବା ଆରମ୍ଭ କରିଦେିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।
ପରେ ସ୍ଥାନୀୟ ବାସିନ୍ଦା ପୀଡିତଙ୍କୁ ଜିଟିବି ହସ୍ପିଟାଲ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ତେବେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅଭିଯୁକ୍ତର ବୟସ ୧୬ ବର୍ଷ ହୋଇଥିବା ବେଳେ ଆକ୍ରମଣ ସମୟରେ ପିଲାଟି ମଦ୍ୟପାନ କରିଥିବା ପୁଲିସ ସୂଚନା ଦେଇଛି। ଏ ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।