fbpx
BJD SKY
BJD SKY

ବିଶ୍ୱକପ ଦେଇଗଲା ୮ଟି ବଡ଼ ଶିକ୍ଷା: ଆପଣ ବି ଜଣେ ଯୋଦ୍ଧା ହୋଇ ପାରିବେ, ଆପଣ ବି ଜୀବନରେ ଜିତିପାରିବେ

BJD

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗତ ୧୯ ତାରିଖରେ ଖେଳାଯାଇଥିବା ବିଶ୍ୱକପର ଫାଇନାଲ ମ୍ୟାଚକୁ ନେଇ ଏବେ ବି କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି । କ୍ରମାଗତ ୧୦ଟି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆର ପରାଜୟକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି । କୌଣସି ବ୍ୟାଟ୍ସମ୍ୟାନ କି ବୋଲରଙ୍କୁ ଏହି ପରାଜୟ ପାଇଁ ଦାୟୀ କରାଯାଇ ପାରିବ ନାହିଁ । ତେଣୁ ଭାଗ୍ୟ ଖରାପ କାରଣରୁ ଭାରତ ହାରିଲା ବୋଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ବୟାନ ଉଚିତ ମନେହୁଏ ।

ଏହି ପରାଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ସମସ୍ତ ଖେଳାଳିଙ୍କ ଆଖିରେ ଅଶ୍ରୁ ଭରି ଯାଇଥିଲା । କ୍ଷଣିକ ମଧ୍ୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଲକ୍ଷାଧିକ ଦର୍ଶକ ଓ ଘରେ ବସି ଦେଖୁଥିବା ୧୪୦ କୋଟି ଦର୍ଶକ ନିରବି ଯାଇଥିଲେ । ତେବେ ବିଶ୍ୱକପ ପରେ ଅଷ୍ଟ୍ରେଲିଆର ବିଜୟକୁ ନେଇ ଯେତିକି ଚର୍ଚ୍ଚା ହୋଇନଥିଲା ତା’ଠରୁ ଅଧିକ ଚର୍ଚ୍ଚା ହୋଇଥିଲା ଭାରତର ପରାଜୟକୁ ନେଇ । ପ୍ରତି ଖେଳରେ ବିଜୟ-ପରାଜୟ ଏକ ସାଧାରଣ କଥା । ତେବେ ପ୍ରତ୍ୟେକ ପରାଜୟ ପଛରେ ଅନେକ କାରଣ ବା ତ୍ରୁଟି ରହିଥାଏ । ମାତ୍ର ପରବର୍ତ୍ତୀ ସମୟରେ ତାହାକୁ ସୁଧାରିବା ହେଉଛି ବୁଦ୍ଧିମାନର କାମ । ତେବେ ଚଳିତ ବିଶ୍ୱକପରେ ବିଭିନ୍ନ ଟିମ୍ ଓ ଖେଳାଳିଙ୍କର ସଂଘର୍ଷଭରା ପ୍ରଦର୍ଶନ ଆମକୁ ଅନେକ ନୂଆ ଶିକ୍ଷା ଦେଇଛି ।

୧- ଯେ ପର୍ଯ୍ୟନ୍ତ ଆପଣ ଅନ୍ତିମ ଲକ୍ଷ୍ୟ ହାସଲ କରିନାହାନ୍ତି ସେ ପର୍ଯ୍ୟନ୍ତ ଖୁସି ହେବା ଅନୁଚିତ । କ୍ରମାଗତ ୧୦ଟି ମ୍ୟାଚରେ ବିଜୟ ହାସଲ କରିବା ପରେ ଭାରତୀୟ ଖେଳାଳି ଓ ପ୍ରଶଂସକଙ୍କ ମଧ୍ୟରେ ଅତ୍ୟଧିକ ଆତ୍ମବିଶ୍ୱାସ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା । ତାହା ଫାଇନାଲରେ କାଳ ସାଜିଥିଲା ।

୨- ନିଜର ସୁଚିନ୍ତିତ ରଣନୀତି ଓ କୂଟନୀତି ଦ୍ୱାରା ଆପଣ ନିଜ ଠାରୁ ବହୁଗୁଣରେ ଶକ୍ତିଶାଳୀଙ୍କୁ ମଧ୍ୟ ଧରାଶାୟୀ କରିପାରିବେ । ଭାରତରେ ବିଶ୍ୱସ୍ତରୀୟ ବ୍ୟାଟ୍ସମ୍ୟାନ ଓ ବୋଲର ରହିଥିବା ବେଳେ ଅଷ୍ଟ୍ରେଲିଆ ନିକଟରେ ଅପେକ୍ଷାକୃତ କମ୍ ଥିଲେ । ମାତ୍ର ବିଜୟ ଅଷ୍ଟ୍ରେଲିଆ ନିକଟକୁ ଚାଲିଯାଇଥିଲା ।

୩- ଆପଣ ହାରିଗଲେ ଦୁନିଆ ଆପଣଙ୍କୁ ଯେତେ ଚିଲେଇ କହିଲେ ବି ଯେ ପର୍ଯ୍ୟନ୍ତ ଆପଣ ସଂଘର୍ଷ କରୁଛନ୍ତି ଆପଣ ନିଶ୍ଚୟ ଜିତିବେ । ଭାରତୀୟ ପେସର ମହମ୍ମଦ ଶାମୀ ନିଜର ପାରିବାରିକ ସମସ୍ୟା କାରଣରୁ ଏକଦା ନିଜ ଜୀବନ ହାରିବାକୁ ମଧ୍ୟ ପଛାଇ ନଥିଲେ ବୋଲି କୁହାଯାଏ । ମାତ୍ର କଠିନ ସଂଘର୍ଷ ଫଳରେ ଶାମି ଚଳିତ ବିଶ୍ୱକପରେ ମାତ୍ର ୭ଟି ମ୍ୟାଚରୁ ୨୪ଟି ୱିକେଟ ନେଇ ବିଜେତା ପାଲଟିଥିଲେ ।

୪- ନିଜର ରକ୍ତ, ଝାଳ ଦେଇ ସଂଘର୍ଷ କରି ଶତ୍ରୁକୁ କିପରି ମାତ୍ ଦେବାକୁ ହେବ, କିପରି ରକ୍ତର ଇତିହାସ ଲେଖିବାକୁ ହେବ ସେହି ଶିକ୍ଷା ଦେଇଯାଇଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଗ୍ଲେନ୍ ମାକ୍ସୱେଲ । ଦଳ ୯୧ ରନରେ ୭ଟି ୱିକେଟ ହରାଇଥିବା ବେଳେ ମାକ୍ସୱେଲ ମାତ୍ର ୧୨୮ଟି ବଲରୁ ୨୦୧ ରନରେ ଅପରାଜିତ ରହି ଅନ୍ୟତମ ସର୍ବଶ୍ରେଷ୍ଠ ଇନିଂସ ଖେଳିଥିଲେ ।

୫- ଆପଣଙ୍କ ସାମ୍ନାରେ ଯେତେବଡ଼ ଶକ୍ତିଶାଳୀ ଟିମ୍ ଥାଆନ୍ତୁ ନା କାହିଁକି ଆପଣ ଯଦି ନିଜର ଖେଳ ଜାରି ରଖିବେ ତେବେ ଆପଣ ନିଶ୍ଚୟ ଜିତିବେ । ଏହା ପ୍ରମାଣ କରିଛନ୍ତି ଆଫଗାନିସ୍ତାନ ଓ ନେଦରଲାଣ୍ଡସ । ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ଆଫଗାନିସ୍ତାନ ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ପରାସ୍ତ କରିଥିଲା ନେଦରଲାଣ୍ଡସ ।

୬- ଆପଣ ଧୀରସ୍ଥିର ଭାବେ ଲଢ଼େଇ ଜାରି ରଖିଲେ ସାରା ଦୁନିଆକୁ ମଧ୍ୟ ‘ଖାମୋସ’ କରିଦେଇପାରିବେ । ଅଷ୍ଟ୍ରେଲିଆର ଉଚ୍ଚକୋଟୀର ପ୍ରଦର୍ଶନ ଭାରତର ଲକ୍ଷାଧିକ ଦର୍ଶକଙ୍କୁ କ୍ଷଣିକ ମଧ୍ୟରେ ନିରବ କରିଦେଇଥିଲା ।

୭- ୨୦୧୯ରେ ଚାମ୍ପିୟନ ହୋଇଥିବା ଇଂଲଣ୍ଡ ଚଳିତ ଥର ୯ଟି ମ୍ୟାଚରୁ ମାତ୍ର ୩ଟି ମ୍ୟାଚରେ ଜିତିଥିଲା । ତେଣୁ ଆପଣ ପୂର୍ବରୁ କେତେ ଶକ୍ତିଶାଳୀ ଥିଲେ, କେତେ ଜିତିଥିଲେ, ତାହା ବର୍ତ୍ତମାନ ଉପରେ କିଛି ପ୍ରଭାବ ପକାଇ ପାରିବ ନାହିଁ ।

୮- ଲକ୍ଷାଧିକ ଦର୍ଶକ ଷ୍ଟାଡିୟମକୁ ଭାରତକୁ ଚିୟର କରିବାକୁ ଯାଇଥିଲେ । ମାତ୍ର ଭାରତ ବିଜୟ ଲକ୍ଷ୍ୟର ଚାପରେ ଚେପା ହୋଇଯାଇଥିଲା କହିବା ଠିକ୍ ହେବ । ଯେତେ ବାହ୍ୟ ସମର୍ଥନ ଥିଲେ ବି ପ୍ରତି କ୍ଷେତ୍ରରେ ତାହା ଆପଣଙ୍କର ପ୍ରଦର୍ଶନ ଉପରେ ପ୍ରଭାବ ପକାଇ ପାରିବ ନାହିଁ ।

Get real time updates directly on you device, subscribe now.