fbpx

ବିହାର ରାଜନୀତି: ନୀତିଶଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଲେ ତେଜସ୍ୱୀ, କହିଲେ ବିଜେପି ସହ ମିଶି ସରକାର ଗଢ଼ିବା ଏତେ ସହଜ ହେବନି

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ବିହାରରେ ଏକ ବଡ଼ଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ଆରଜେଡି-ଜେଡିୟୁ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ । ମେଣ୍ଟରୁ ଓହରି ଯାଇ ବିଜେପି ସହ ମିଶି ରାଜ୍ୟରେ ନୂଆ ସରକାର ଗଠନ କରିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଚୁପ୍ ବସି ନାହାନ୍ତି । ଏତେ ସହଜରେ ସେ ହାର ମାନିବେ ନାହିଁ ବୋଲି ନୀତିଶଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି ।

ନୀତିଶ ବିଜେପି ସହ ମିଶି ସରକାର ଗଢ଼ିବା ଖବର ପାଇବା ପରେ ତେଜସ୍ୱୀ ସକ୍ରିୟ ହେବା ସହ ଆଜି ଦିନ ୧ଟାରେ ନିଜ ବାସଭବନରେ ଏକ ଜରୁରୀ ବୈଠକ ଡକାଇଛନ୍ତି । ଉକ୍ତ ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏହା ପୂର୍ବରୁ ଲାଲୁ ପ୍ରସାଦ ଯାଦବ ନୀତିଶଙ୍କୁ ୫ ଥର ଫୋନ୍ କରିଥିବା ବେଳେ ସେ ଫୋନ୍ ଉଠାଇନଥିଲେ । ତେଣୁ ଜେଡିୟୁ-ଆରଜେଡି ଭିତରେ ବୁଝାମଣା ଏକପ୍ରକାର ଅସମ୍ଭବ ବୋଲି ସ୍ପଷ୍ଟ ହୋଇଛି ।

ତେବେ ଏଭଳି ସ୍ଥିତିରେ ରାଜ୍ୟର ବିଧାୟକଙ୍କ ସଂଖ୍ୟା ଉପରେ ନଜର ପକାଇବାର ବେଳ ଆସିଯାଇଛି । ରାଜ୍ୟ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୪୩ ହୋଇଥିବା ବେଳେ ବହୁମତ ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଏବେ ଆରଜେଡି ପାଖରେ ୭୯ ଜଣ, ବିଜେପି ପାଖରେ ୭୮ ଜଣ, ଜେଡିୟୁ ପାଖରେ ୪୫ ଜଣ, କଂଗ୍ରେସ ପାଖରେ ୧୯ ଜଣ, ବାମ ଦଳର ୧୬ ଜଣ ବିଧାୟକ ରହିଛନ୍ତି । ବିଜେପି-ଜେଡିୟୁ ଦୁଇ ଦଳର ମୋଟ ବିଧାୟକଙ୍କ ସଂଖ୍ୟା ୧୨୩ ହେଉଛି । ସେହିପରି ଆରଜେଡି, କଂଗ୍ରେସ ଓ ବାମଦଳର ବିଧାୟକଙ୍କ ସଂଖ୍ୟା ମିଶିଲେ ୧୧୪ ହେଉଛି । ଏ କ୍ଷେତ୍ରରେ ବହୁମତ ମାତ୍ର ଆଉ ୮ଟି ସଂଖ୍ୟା କମ୍ ପଡ଼ୁଛି । ଦେଖାଯାଉ ଆଗକୁ କିଏ ସରକାର ଗଢ଼ୁଛି ଆଉ କେଉଁ ବିଧାୟକ ଦଳ ପରିବର୍ତ୍ତନ କରୁଛନ୍ତି ।

Get real time updates directly on you device, subscribe now.