ଭୁବନେଶ୍ବର: ଚଳିତ ବର୍ଷ ଫେବୃଆରୀ ମାସ ଅଧାରୁ ହିଁ ନିଦ ହଜାଇଲାଣି ଗରମ । ଏହାରି ଭିତରେ ପାଣିପାଗ ବିଭାଗର ଆକଳନ ଲୋକଙ୍କୁ ଆହୁରି ଚିନ୍ତାରେ ପକାଇ ଦେଇଛି । ଆଜି ଏବଂ ଗୁରୁବାର ଦିନ ତାପମାତ୍ରା 1ରୁ 2 ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
ଗତକାଲି ଝାରସୁଗୁଡାରେ ତାତି 39 ଡିଗ୍ରୀ ଛୁଇଁଥିଲା । ସୁରେନ୍ଦ୍ରନାଥଙ୍କ କହିବା ଅନୁସାରେ, ରାଜ୍ୟର ସମୁଦ୍ର ସଂଲଗ୍ନ ଅଞ୍ଚଳକୁ ବଙ୍ଗୋପସାଗରୀୟ ପବନ ବୋହିବ । ବାକି ସ୍ଥାନରେ ଗରମ ପବନ ବୋହିବ । ଆଜି ଏବଂ କାଲି ତାପମାତ୍ରା 1ରୁ 2 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି କୁହାଯାଇଛି ।
ପୁରୀ, କଟକ, ଢେଙ୍କାନାଳ, ବାରିପଦା, ବଲାଙ୍ଗୀର ଏବଂ ଅନୁଗୁଳରେ ତାପମାତ୍ରା ଅଧିକ ରହିବ । ସେହିପରି ଆସ୍କା, ଭଞ୍ଜନଗର, ସୋରଡା ରାଜ୍ୟର ଉତ୍ତପ୍ତ ଅଞ୍ଚଳ ପାଲଟିବ । ତେବେ ଆସନ୍ତା 4ରୁ 5 ଦନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଗତକାଲି ଭୁବନେଶ୍ବର ତାପମାତ୍ରା 36.4 ଡିଗ୍ରୀ ରହିଥିଲା । ତେବେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ହେଉଥିବା ବେଳେ ରାଜଧାନୀବାସୀ ଏବେଠୁ ହନ୍ତସନ୍ତ ହେଉଛନ୍ତି ।