fbpx

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବକଳେବର: ୧୦ ଜିଲ୍ଲା ସଭାପତି ବଦଳିଲେ, ୧୯ ଜଣ ସଦସ୍ୟଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କର ସଂଗଠନର ନବକଳେବର କରିବା ଆରମ୍ଭ କରିଦେଇଛନ୍ତି । ଏପରି ସ୍ଥିତିରେ ଦଳ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି ।

ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ନୂଆ କର୍ମକର୍ତ୍ତାଙ୍କୁ ନୂଆ ପଦରେ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ୧୦ଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ନୂଆପଡ଼ା, କେଉଁଝର, ପୁରୀ, ଭଦ୍ରକ, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼, କୋରାପୁଟ, ରାୟଗଡ଼ା, ଦେଓଗଡ଼ ଆଦି ଜିଲ୍ଲାରେ ନୂଆ ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏଥିସହିତ ଶୃଙ୍ଖଳାଗତ କାର୍ଯ୍ୟ କମିଟିର ଅଧ୍ୟକ୍ଷ, ଆବାହକ ଓ ସଦସ୍ୟ ଭାବେ ୬ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ମାନିଫେଷ୍ଟୋ କମିଟି, ପ୍ରଚାର ଓ ପ୍ରକାଶନ କମିଟି ଏବଂ ଏଆଇସିସି ପ୍ରୋଗ୍ରାମ କାର୍ଯ୍ୟକାରିତା କମିଟିର ଅଧ୍ୟକ୍ଷ ଭାବେ ୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନୂଆ ନେତାମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ପୂର୍ବରୁ ଗତ ଏପ୍ରିଲ ମାସ ୨୪ ତାରିଖରେ କଂଗ୍ରେସ ନୂଆ ଟିମ୍ ଘୋଷଣା କରିଥିଲା । ଦଳ ପକ୍ଷରୁ ଉପସଭାପତି, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ, ମିଡ଼ିଆ ସଦସ୍ୟଙ୍କୁ ଦାୟିତ୍ୱ ମିଳିଥିଲା ।

Get real time updates directly on you device, subscribe now.