fbpx

ଦୁନିଆର ସବୁଠାରୁ ୫ଟି ବଡ଼ ହିନ୍ଦୁ ମନ୍ଦିର; ଜାଣନ୍ତୁୁ କେଉଁଠାରେ ରହିଛି ଅଦ୍ଭୁତ ସ୍ଥାପତ୍ୟକଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ହିନ୍ଦୁ ଧର୍ମରେ ପୂଜା ପାଠର ବିଶେଷ ମହତ୍ତ୍ୱ ରହିଛି । ବିଶେଷକରି ଲୋକମାନେ ଘର ଅପେକ୍ଷା ମନ୍ଦିରରେ ପୂଜା କରିବାକୁ ଯାଇଥାନ୍ତି । ତେବେ ସମଗ୍ର ବିଶ୍ୱରେ ବହୁତ ସୁନ୍ଦର ଓ ଭବ୍ୟ ମନ୍ଦିର ପ୍ରତିଷ୍ଠିତ ହୋଇଛି । ଏଥିସହିତ ଭାରତରେ ମଧ୍ୟ ଅନେକ ହିନ୍ଦୁ ମନ୍ଦିର ରହିଛି । ଏହି ସ୍ଥାନଗୁଡ଼ିକର ସ୍ଥାପତ୍ୟ କଳା ଓ ସୌନ୍ଦର୍ଯ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ତେବେ ଦୁନିଆର ୫ଟି ବଡ଼ ମନ୍ଦିର ବିଷୟରେ ଆସନ୍ତୁ ଜାଣିବା ।

ଅଙ୍କୋରୱାଟ ମନ୍ଦିର: କାମ୍ବୋଡିଆ ଦେଶରେ ଅବସ୍ଥିତ ଅଙ୍କୋରୱାଟ ମନ୍ଦିର ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି । ଏହା ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସ୍ଥାନ ଭାବରେ ପରିଗଣିତ ହୋଇଛି । ଦ୍ୱାଦଶ ଶତାବ୍ଦୀରେ ରାଜା ସୂର୍ଯ୍ୟ ବର୍ମନ୍ ଦ୍ୱିତୀୟଙ୍କ ଦ୍ୱାରା ମନ୍ଦିର ନିର୍ମିତ ହୋଇଥିଲା । ଏହି ମନ୍ଦିର ୭,୨୦,୦୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ । ଏହି ମନ୍ଦିରରେ ଲୋକମାନଙ୍କ ବିଶ୍ୱାସ ଯୋଡ଼ି ହୋଇରହିଛି ।

ଶ୍ରୀରଙ୍ଗନାଥ ମନ୍ଦିର: ତାମିଲନାଡୁର ତ୍ରିଚିରେ ଅବସ୍ଥିତ ଶ୍ରୀରଙ୍ଗନାଥ ମନ୍ଦିର । ଯାହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ହିନ୍ଦୁ ମନ୍ଦିର ଭାବେ ପରିଗଣିତ । ଏହି ମନ୍ଦିର କାବେରୀ ନଦୀକୂଳରେ ଅବସ୍ଥିତ । ଭଗବାନ ବିଷ୍ଣୁଙ୍କ ରଙ୍ଗନାଥ ସ୍ୱରୂପ ଏଠାରେ ପୂଜା କରାଯାଇଥାଏ । ଏହି ମନ୍ଦିର ପ୍ରାୟ ୬,୩୧,୦୦୦ ବର୍ଗ ମିଟର ଅଞ୍ଚଳରେ ଗଢ଼ି ଉଠିଛି । କୁହାଯାଉଛି କି ଏହି ମନ୍ଦିରରେ ପ୍ରାୟ ୧୦୦୦ ବର୍ଷ ପୁରୁଣା ଏକ ମମି ମଧ୍ୟ ରହିଛି ।

ଅକ୍ଷରଧାମ ମନ୍ଦିର: ଦିଲ୍ଲୀରେ ପ୍ରତିଷ୍ଠିତ ଅକ୍ଷରଧାମ ମନ୍ଦିର ପ୍ରାୟ ୨,୪୦,୦୦୦ ବର୍ଗମିଟର ଅଞ୍ଚଳରେ ବ୍ୟାପିଛି । ଏହା ସ୍ୱାମୀନାରାୟଣ ସମ୍ପ୍ରଦାୟର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ବୋଲି ବିବେଚନା କରାଯାଏ । ଏହି ମନ୍ଦିରକୁ ବହୁତ ସୁନ୍ଦର ଭାବେ ନିର୍ମାଣ କରାଯାଇଛି । ପ୍ରତିବର୍ଷ ଦେଶ – ବିଦେଶରୁ ବହୁ ସଂଖ୍ୟାରେ ଲୋକମାନେ ଭଗବାନଙ୍କ ଦର୍ଶନ ପାଇଁ ଏବଂ ମନ୍ଦିର ଦେଖିବା ପାଇଁ ଆସିଥାନ୍ତି ।

ଚିଦାମ୍ବରମ୍ ମନ୍ଦିର: ଚିଦାମ୍ବରମ୍ ମନ୍ଦିର ତାମିଲନାଡୁର ଚିଦାମ୍ବରମ୍ରେ ଅବସ୍ଥିତ । ଭଗବାନ ଶିବଙ୍କୁ ଏହା ଉତ୍ସର୍ଗୀକୃତ । ଏହା ଏକ ବଡ଼ ଓ ପ୍ରସିଦ୍ଧ ତୀର୍ଥସ୍ଥଳ । ଚିଦାମ୍ବର ମନ୍ଦିର ପ୍ରାୟତଃ ୧,୬୦,୦୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ।

ବେଲୁର ମଠ: ବେଲୁର ମଠ କଲିକତାର ହୁଗୁଳି ନଦୀ କୂଳରେ ଅବସ୍ଥିତ । ଏହି ମଠ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ନିର୍ମିତ । ୧,୬୦,୦୦୦ ବର୍ଗ ମିଟର ଅଞ୍ଚଳରେ ବିସ୍ତାର ହୋଇଛି । ଏହି ମଠଟି ବିଶ୍ୱର ୫ତମ ବୃହତ୍ତମ ହିନ୍ଦୁ ଧାର୍ମିକ ସ୍ଥାନ । ଏହା ସହିତ ଭକ୍ତମାନଙ୍କ ପାଇଁ ଏହା ଆକର୍ଷଣର ମୁଖ୍ୟ କେନ୍ଦ୍ର ।

Get real time updates directly on you device, subscribe now.