fbpx
BSKY
BJD SHG SKY
BJD YOUTH SKY

ଇଣ୍ଡିଆ ମେଣ୍ଟକୁ ବାଦ୍ ପକାଇ କଂଗ୍ରେସ କରିବ ନୂତନ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି)ର ପ୍ରଥମ ବୈଠକ

ଓଡିଶା ଭାସ୍କର; ଗତ କିଛି ଦିନ ହେବ ଜାତୀୟ ରାଜନୀତିରେ ଅନେକ କିଛି ପରିବର୍ତ୍ତନ ଦେଖାଦେଇଛି। ଗୋଟିଏ ଛାତ ତଳେ ଏକାଠି ହୋଇ ବସିବାରେ ସକ୍ଷମ ହୋଇଛନ୍ତି ସମସ୍ତ ମୋଦୀ ବିରୋଧୀ ନେତା। ଦେଶର ଅନେକ ପ୍ରମୁଖ ରାଜନୈତିକ ଦଳକୁ ନେଇ ଗଠନ ହୋଇଛି ବିରୋଧୀ ମେଣ୍ଟ ଦଳ ଯାହାର ନାମ ରହିଛି ‘ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲ୍ୟୁସିଭ ଆଲିଆନ୍ସ’ ବା ‘ଇଣ୍ଡିଆ’ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି କେନ୍ଦ୍ରରୁ ବିଜେପି ସରକାରକୁ ହଟାଇବା। ହେଲେ ଏଥିରେ ଏକ ବଡ଼ ଦ୍ୱନ୍ଦ୍ୱର ବିଷୟ ହୋଇ ଛିଡା ହେଇଛି ଯେ, ଏହି ‘ଇଣ୍ଡିଆ’ ମେଣ୍ଟ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ?

‘ଇଣ୍ଡିଆ’ ମେଣ୍ଟ ଦଳରେ ଅନେକ ଜଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ବ୍ୟତିତ ଅନ୍ୟ ଦଳର ମୁଖ୍ୟ ମାନେ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା କୁହାଯାଉଛି। ତେବେ ଏଭଳି ଜଟିଳ ପରିସ୍ଥିତି ଭିତରେ କଂଗ୍ରେସ ଦଳ କେବେ ବି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଆଉ କେଉଁ ଦଳକୁ ସୁଯୋଗ ଦେବ ନାହିଁ। ଯଦିଓ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରାଥୀ ପାଇଁ ଆଶାୟୀ ନଥିବା କଥା କହିସାରିଛି କିନ୍ତୁ ବାସ୍ତବରେ କଂଗ୍ରେସ ବହୁତ ଆଶାୟୀ ଥିବା ଚର୍ଚ୍ଚା ହେଉଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦଳ ପ୍ରଧାନମନ୍ତ୍ରୀ ଭାବେ ପ୍ରସ୍ତୁତ କରୁଛି। ତେବେ ଏହାରି ଭିତରେ ଇଣ୍ଡିଆ ମେଣ୍ଟକୁ ବାଦ୍ ପକାଇ କଂଗ୍ରେସ ତାର ନିଜସ୍ୱ ନୂତନ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି)ର ପ୍ରଥମ ବୈଠକ କରିବାକୁ ଯାଉଛି। ଇଣ୍ଡିଆ ମେଣ୍ଟରେ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା କଂଗ୍ରେସ ଦଳ ବର୍ତ୍ତମାନ ତାର ଏକ ନିଜସ୍ୱ ବୈଠକ କରିବ। ଯେଉଁଥିରେ ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ରଣନୀତି, ବିରୋଧୀ ମେଣ୍ଟ ଭିତରେ ଦଳ ପ୍ରାର୍ଥୀ ଦେବା, ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେବ। ସେହିପରି ଇଣ୍ଡିଆ ମେଣ୍ଟରୁ କଂଗ୍ରେସ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦେବା ପାଇଁ ଏକ ବଡ଼ କୌଶଳ ଆପଣେଇବାକୁ ଯାଉଥିବା କୁହାଯାଉଛି।

ସୂଚନା ଥାଉକି, ଅଗଷ୍ଟ ୨୦ରେ କଂଗ୍ରେସ ଏହାର କାର୍ଯ୍ୟ କମିଟିର ପୁନର୍ଗଠନ କରିଥିଲା, ଯେଉଁଥିରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ। କାର‌୍ୟ୍ୟ କମିଟିରେ ୩୯ ଜଣ ସଦସ୍ୟ, ୩୨ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ ୧୩ ଜଣ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କୁ ସାମିଲ କରାଯାଇଛି। ସଚିନ ପାଇଲଟ ଏବଂ ଶଶି ଥରୁରଙ୍କ ପରି ନେତାମାନେ ପ୍ରଥମ ଥର ପାଇଁ ଏହି କାର‌୍ୟ୍ୟ କମିଟିରେ ସ୍ଥାନ ପାଇଛନ୍ତି। ନୂତନ କାର୍ଯ୍ୟକାରୀ କମିଟି (ସିଡବ୍ଲୁସି) ଗଠନ ହୋଇଥିବା ବେଳେ ଶନିବାର ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

Get real time updates directly on you device, subscribe now.