fbpx

୬୫ ବର୍ଷର ବ୍ୟକ୍ତିଙ୍କୁ ୧୭୦ ବର୍ଷର ଜେଲଦଣ୍ଡ ଶୁଣାଇଲେ କୋର୍ଟ: ଇଏ କି ଅପରାଧ?

ନୂଆଦିଲ୍ଲୀ: ବଡ ବଡ ମାମଲାରେ ସମ୍ପୃକ୍ତ ଅପରାଧୀଙ୍କୁ ମୁଖ୍ୟତଃ ଫାଶୀ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥାନ୍ତି କୋର୍ଟ । କିନ୍ତୁ କେବେ ୧୭୦ ବର୍ଷର ଜେଲଦଣ୍ଡ ବିଷୟରେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟର ଘଟଣା ହେଉଛି ଏହି ଦଣ୍ଡାଦେଶ ଦିଆଯାଇଛି ଜଣେ ୬୫ ବର୍ଷ ବୟସର ବୃଦ୍ଧ ବ୍ୟକ୍ତିଙ୍କୁ । କେବଳ ସେତିକି ନୁହେଁ, ୧୭୦ ବର୍ଷର କାରାଦଣ୍ଡ ସହିତ ୩ ଲକ୍ଷ ୪୦ ହଜାର ଟଙ୍କାର ଅର୍ଥଦଣ୍ଡ ମଧ୍ୟ ଲାଗୁ କରାଯାଇଛି । ସାଗର ଜିଲ୍ଲା ନ୍ୟାୟାଳୟରେ ଜଣେ ଅପରାଧୀଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ଅଭିଯୋଗ ମଧ୍ୟ ସେତିକି ଜଘନ୍ୟ ରହିଛି, ଯେଉଁଥିପାଇଁ ତାଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି ଅଦାଲତ ।

ସୂଚନା ଅନୁସାରେ, ସାଗର ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କୋର୍ଟ ଚାଲାଣ ହୋଇଥିଲା ନାସିର ମୋହମ୍ମଦ । ୬୫ ବର୍ଷ ବୟସରେ ସେ ମୋଟ ୩୪ ଜଣଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମଲା ନେଇ ଅଭିଯୁକ୍ତକୁ ସାଗର ଜିଲ୍ଲା ନ୍ୟାୟାଳୟ ଏକ ଅଜବ ଦଣ୍ଡାଦେଶ ଶୁଣାଇଛନ୍ତି । ନାସିରକୁ ଅପରାଧୀ ବୋଲି ଘୋଷଣା କରିବା ସହ ୧୭୦ ବର୍ଷ ପର୍ଯ୍ୟନ୍ତ କଠୋର କାରାବାସ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଅଦାଲତର ନ୍ୟାୟାଧୀଶ ଜଷ୍ଟିସ ଅବଦୁଲ୍ଲାହ ଅହମ୍ମଦଙ୍କ ଅଦାଲତ ଅଭିଯୁକ୍ତ ନାସିରକୁ ଧାରା ୪୨୦ ଅନୁସାରେ ଏହି ଦଣ୍ଡାଦେଶ ଜାରି କରିଛନ୍ତି । ୩୪ ଜଣ ବ୍ୟକ୍ତିଙ୍କ ଠକିବା ଅଭିଯୋଗରେ ପ୍ରତ୍ୟେକ ମାମଲାରେ ୫ ବର୍ଷ ଲେଖାଏଁ ମୋଟ ୧୭୦ ବର୍ଷର ସଶ୍ରମ କାରାଦଣ୍ଡ ପାଇଁ ଆଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ଏହା ସହିତ ୧୦ ହଜାର ଟଙ୍କାର ଜରିମାନା ଏବଂ ୩,୪୦,୦୦୦ ଟଙ୍କାର ଅର୍ଥଦଣ୍ଡ ଶୁଣାଇଛନ୍ତି ଅଦାଲତର ବିଚାରପତି ।

ଏହି ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ରାମବାବୁ ରାୱତ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦଣ୍ଡ ଗୋଟିଏ ପରେ ଗୋଟିଏ କ୍ରମାଗତ ରୂପରେ ହେବ ବୋଲି କୋର୍ଟ ଏହି ରାୟରେ ଉଲ୍ଲେଖ କରିଛନ୍ତି । ଅର୍ଥାତ୍ ଗୋଟିଏ ଦଣ୍ଡ ଶେଷ ହେବା ପରେ ଅନ୍ୟ ମାମଲାର ଦଣ୍ଡ ଆରମ୍ଭ ହେବ। ନାସିର ମୋଟ ୭୨ ଲକ୍ଷ ଟଙ୍କା ଠକିଥିବା ଏହି ରାୟରୁ ଜାଣିବାକୁ ମିଳିଛି । ଏକ ଜୁଏଲାରୀ ଫ୍ୟକ୍ଟ୍ରି ଆରମ୍ଭ କରିବା କଥା କହି ସମସ୍ତଙ୍କୁ ଲୁଟିବାରେ ଲାଗିଥିଲା ନାସିର । ତେବେ ବର୍ତ୍ତମାନ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Get real time updates directly on you device, subscribe now.