fbpx

ରାଜଧାନୀରେ ହୁ ହୁ ହୋଇ ବଢୁଛି କରୋନା: ୩୦୦୦ ଟପିଲା ଦିନକର ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ: ବେଶ୍ କିଛିଦିନର ବ୍ୟବଧାନ ପରେ ଗତ ୧୫ ଦିନ ହେବ ସାରା ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ତେଲେଙ୍ଗାନା, ତାମିଲନାଡ଼ୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ଏହାର ପ୍ରକୋପ ବୃଦ୍ଧି ପାଇଛି । ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦବେଗ ପ୍ରକାଶ ପାଉଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଘଟଣା ବର୍ତ୍ତମାନ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୫୦୯କୁ ବୃଦ୍ଧି ପାଇଛି । ତେବେ ଗତ କିଛିଦିନ ହେବ ଦିଲ୍ଲୀରେ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ୨୪ ଘଣ୍ଟାରେ ୩୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ଘଟଣା କେଜ୍ରିୱାଲ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର କରୋନା ବିରୋଧରେ ଲଢିବା ପାଇଁ କଠୋର ପଦକ୍ଷେପମାନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଅପରାହ୍ନରେ ସ୍ୱାସ୍ଥ୍ୟ ବିଭାଗ ସହ ଜଡ଼ିତ ଅଧିକାରୀ ତଥା ବିଶେଷଜ୍ଞ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ । ଏହି ବୈଠକରେ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ । ଦିଲ୍ଲୀରେ ପୁଣି ଥରେ କୋଭିଡ଼ ହସ୍ପିଟାଲ ଗୁଡ଼ିକୁ କାର୍ୟ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଦିଲ୍ଲୀରେ ସଂକ୍ରମଣ ହାର ୧୪ ପ୍ରତିଶତରେ ପହଞ୍ଚିଥିବା ବେଳେ ୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟିଛି ।

ଗତ ୨୪ ଘଣ୍ଟାରେ ୨୧୬୦ କରୋନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୩୦୦ ମାମଲା ପଜିଟିଭ ଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ କରୋନା ବଢୁଥିବାରୁ ସବୁ ରାଜ୍ୟ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ଏପରିକି କରୋନା ସମ୍ପର୍କିତ ୫ଟି ନିୟମକୁ ପାଳନ କରିବା ପାଇଁ ସେ କହିଛନ୍ତି । ଏ କ୍ଷେତ୍ରରେ ସମସ୍ତେ ଏବେଠାରୁ ସଚେତନ ହେବାର ଜରୁରୀ ଆବଶ୍ୟକତା ରହିଛି । ତେବେ ଏମିତି ପରିସ୍ତିତିରେ ବର୍ତ୍ତମାନ ଲୋକଙ୍କୁ ଲକଡାଉଡନ ଭୟ ଘାରିଛି । ପୁଣି ଥରେ ଫେରିବ କି ଲକଡାଉନ?

Get real time updates directly on you device, subscribe now.