fbpx

ମା’ ଭଟ୍ଟାରିକାଙ୍କ ମନ୍ଦିରର ଗର୍ଭଗୃହରେ ପଶିଲା ବନ୍ୟାପାଣି, ପାହାଡ଼ ଉପରେ ଥିବା ଅସ୍ଥାୟୀ ପୂଜା ସ୍ଥଳୀକୁ କରାଯାଇଛି ମା’ଙ୍କୁ ସ୍ଥାନାନ୍ତର

ଓଡିଶା ଭାସ୍କର; ବଡମ୍ବା ତଥା ଓଡିଶାର ପ୍ରଖ୍ୟାତ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ମହାନଦୀ ବନ୍ୟା ଜଳ। ମହାନଦୀରେ ଜଳସ୍ତର ବଢିଥିବା ବେଳେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମନ୍ଦିରରେ ପଶିଛି । ମନ୍ଦିର ଭିତରେ ୩ ଫୁଟ ଉଚ୍ଚର ଜଳ ଲହଡି ମାରୁଥିବା ଦେଖାଦେଇଛି । ମନ୍ଦିରର ଗର୍ଭଗୃହରେ ବନ୍ୟାପାଣି ପଶିବା ପରେ ମାଆ ଭଟ୍ଟାରିକାଙ୍କୁ ପାହାଡ଼ ଉପରେ ଥିବା ଅସ୍ଥାୟୀ ପୂଜା ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।

ଏଠାରେ କହି ରଖୁଛୁ ଯେ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୬ ଲକ୍ଷ ୪୯ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜ ଦେଇ ନିଷ୍କାସିତ ହେଉଛି ୩ ଲକ୍ଷ ୧୬ହଜାର ଜଳ। ଯୋବ୍ରା ବ୍ୟାରେଜ ଦେଇ ୨ଲକ୍ଷ ୭୯ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେହିପରି ଉପରମୁଣ୍ଡ ହୀରାକୁଦରେ ଏବେ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୭.୮୭ ଫୁଟ୍ ରହିଛି ।

ଅନ୍ୟପଟେ ଆସନ୍ତା ୧୮ ତାରିଖରୁ ରାଜ୍ୟରେ ପୁଣି ବର୍ଷା ବଢିବ। ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଯୋଗୁଁ ୧୮ ଓ ୧୯ ତାରିଖ ପାଇଁ ବିଭିନ୍ନ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ପର୍ୟ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଗତକାଲି ଓଡ଼ିଶା ଉପରେ ରହିଥିବା ଲଘୁଚାପ ଓଡ଼ିଶାଠାରୁ ଦୂରରେ ରହି ବର୍ତ୍ତମାନ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଛି। ଏବେ ଏହା ସଦୃଶ ଲଘୁଚାପ ଅବସ୍ଥାରେ ଥିବା ଯୋଗୁଁ ମଧ୍ୟପ୍ରଦେଶ ଓ ପଡ଼ୋଶୀ ଛତିଶଗଡ଼ରେ ବର୍ଷା ହେଉଛି।

Get real time updates directly on you device, subscribe now.