fbpx

ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ: ଦେଶରେ ପ୍ରଥମ ପର୍ଯ୍ୟାୟରେ ମତଦାନ

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଏହାସହିତ ବିଶ୍ୱର ସର୍ବାଧିକ ଲୋକତନ୍ତ୍ରରେ ନିର୍ବାଚନୀ ବିଗୁଲ ବାଜିଛି । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଗ୍ରହଣ କରାଯାଉଛି । ପ୍ରଥମ ପର୍ଯ୍ୟାୟ ମତଦାନରେ ୧,୬୨୫ ଜଣ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ପ୍ରଥମ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶର ୬୦ଟି ସିଟ୍ ଏବଂ ସିକ୍କିମ ୩୨ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି ।

ଆଜି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ତାମିଲନାଡୁର ସମସ୍ତ ୩୯ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ପର୍ଯ୍ୟାୟରେ ଦେଶର ମୋଟ ୧୬ କୋଟି ଭୋଟର ମତଦାନ କରିପାରିବେ । ମତଦାତାଙ୍କ ମଧ୍ୟରେ ୮.୪ କୋଟି ପୁରୁଷ ଭୋଟର ରହିଥିବା ବେଳେ ୮.୨୩ ମହିଳା ଏବଂ ୧୧,୩୭୧ ଟ୍ରାନ୍ସଜେଣ୍ଡର ଭୋଟର ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ୩୫.୬୭ ଲକ୍ଷ ଲୋକ ପ୍ରଥମ ଥର ପାଇଁ ମତଦାନ ପ୍ରକ୍ରିୟାରେ ସାମିଲ ହେବେ । ଏହାସହିତ ୨୦-୨୯ ବର୍ଷ ବୟସ ବର୍ଗ ମଧ୍ୟରେ ପ୍ରାୟ ୩.୫୧ କୋଟି ଯୁବ ଭୋଟର ରହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁରେ ସମସ୍ତ ଆସନ ପାଇଁ ଭୋଟିଂ ହେବା ସହିତ ଆହୁରି ଅନ୍ୟରାଜ୍ୟରେ ମଧ୍ୟ ସମସ୍ତ ଆସନ ପାଇଁ ଭୋଟିଂ କରାଯାଉଛି । ଏହି ତାଳିକାରେ ଉତ୍ତରାଖଣ୍ଡ(୫), ଅରୁଣାଚଳ ପ୍ରଦେଶ(୨), ମେଘାଳୟ(୨), ଆଣ୍ଡାମାନ-ନିକୋବର ଦ୍ୱୀପ ସମୂହ(୧), ମିଜୋରାମ(୧), ନାଗାଲାଣ୍ଡ(୧), ପୁଡୁଚେରୀ(୧), ସିକିମ(୧) ଏବଂ ଲକ୍ଷାଦ୍ୱୀପ(୧) ଇତ୍ୟାଦି ସାମିଲ ରହିଛି । ଏହାବ୍ୟତୀତ ରାଜସ୍ଥାନରେ ୧୨, ଉତ୍ତର ପ୍ରଦେଶରେ ୮, ମଧ୍ୟ ପ୍ରଦେଶରେ ୬ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ଆସାମ ଓ ମହାରାଷ୍ଟ୍ରର ୫ଟି ଲେଖାଏଁ ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ସେହିପରି ବିହାରର ୪, ପଶ୍ଚିମବଙ୍ଗରେ ୩, ମଣିପୁରରେ ୨ ଏବଂ ତ୍ରିପୁରା, ଜମ୍ମୁ କାଶ୍ମୀର ଓ ଛତିଶଗଡ଼ରେ ଗୋଟିଏ ଲେଖାଏଁ ସିଟ୍ ଉପରେ ମତଦାନ କରୁଛନ୍ତି ଦେଶର ସଚେତନ ନାଗରିକ ।

Get real time updates directly on you device, subscribe now.