fbpx

ସରିଲା ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ, ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ ମହାବାହୁ

ପୁରୀ,(ଭାସ୍କର ନ୍ୟୁଜ୍): ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡ଼ି ଯାଇଛନ୍ତି। ରତ୍ନ ସିଂହାସନରେ ପୁଣି ଥରେ ଭକ୍ତଙ୍କୁ ଦର୍ଶନ ଦେବେ। ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିବ ଶ୍ରୀମନ୍ଦିର। ବଡ଼ଦାଣ୍ଡରେ ଲାଗି ରହିବ ଭକ୍ତଙ୍କ ଗହଳି। ସୋମବାର ବଡ଼ଦାଣ୍ଡରେ ରଥାରୂଢ଼ ୩ ଠାକୁରଙ୍କ ଅଧରପଣା ନୀତି ସମାପ୍ତ ପରେ ମଙ୍ଗଳବାର ନିଳାଦ୍ରୀବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ୩ ଠାକୁରଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରତ୍ନ ସିଂହାସନରେ ସ୍ଥାପନ କରାଯାଇଥିଲା। ହେଲେ ଏଥିପୂର୍ବରୁ ମହାପ୍ରଭୁ ଅଭିମାନିନୀ ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ। ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନ ନେଇ ୩ ଭାଇଭଉଣୀ ଗୁଣ୍ଡିଚା ଯାତ୍ରା କରିଥିବାରୁ ଅଭିମାନ କରିଥିଲେ ମା’ ମହାଲକ୍ଷ୍ମୀ।

ଏନେଇ ମହାବାହୁ ମନ୍ଦିର ପ୍ରବେଶ କଲାବେଳେ ମହାଲକ୍ଷ୍ମୀ ବାଟ ଓଗାଳି ଥିଲେ ଓ ଜୟବିଜୟ ଦ୍ୱାର ବନ୍ଦ କରିଦେଇଥିଲେ। ପରେ ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମହାଲକ୍ଷ୍ମୀଙ୍କ ମଧ୍ୟରେ ବଚନିକା ଅନୁଷ୍ଠିତ ହୋଇଥିଲା । ଏହି ବଚନିକାରେ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଭିତର ମହାପାତ୍ର ରସଗୋଲା ଭୋଗ କରିଥିଲେ। ପରମ୍ପରା ଅନୁଯାୟୀ, ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ତାଙ୍କର ମାନଭଞ୍ଜନ କରିଥିଲେ । ମଙ୍ଗଳବାର ସନ୍ଧ୍ୟା ଧୂପ ଶେଷ ହେବା ପରେ ରଥରେ ଚାରମାଳ ବନ୍ଧା ଯାଇଥିଲା ଓ ସିଂହାସନ ମାର୍ଜଣା କରାଯାଇଥିଲା। ଏହାପରେ ଚତୁର୍ଦ୍ଧା ବିଗ୍ରହଙ୍କ ଭବ୍ୟ ପହଣ୍ଡି ଆରମ୍ଭ ହୋଇଥିଲା । ଗୋଟି ପହଣ୍ଡିରେ ଶ୍ରୀଜୀଉମାନେ ରତ୍ନ ସିଂହାସନକୁ ବାହୁଡ଼ି ଯାଇଥିଲେ।

ତେବେ ରଥଯାତ୍ରା ଦିନ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦୀର୍ଘ ୯ ଦିନ ଧରି ବଡ଼ଦାଣ୍ଡ ଓ ଶରଧାବାଲିରେ ଭକ୍ତ ଓ ଭଗବାନଙ୍କର ମହାମିଳନ ହୋଇଥିଲା । ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ତାଙ୍କ ସାନ୍ନିଧ୍ୟ ଲାଭ କରିଥିଲେ । ଏଥିପୂର୍ବରୁ ସୋମବାର ଶ୍ରୀଜୀଉଙ୍କ ଅଧରପଣା ନୀତି ସମାପନ ହୋଇଥିଲା । ମଧ୍ୟାହ୍ନ ଧୂପ ସମାପନ ପରେ ପୂଜାପଣ୍ଡାମାନେ ପଞ୍ଚୋପଚାରରେ ପଣାପୂଜା କରିଥିଲେ ଓ ପରେ ରଥ ଉପରେ ପଣାହାଣ୍ଡି ଭଙ୍ଗା ଯାଇଥିଲା ।

Get real time updates directly on you device, subscribe now.