fbpx
BJD
BJD SKY
BJD SKY

(Video)ଆଜି ଓଡ଼ିଶାରେ ପହଞ୍ଚିବ ବୀର ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଞ୍ଚିବ ବୀର ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର । ଢେଙ୍କାନାଳ କାମାକ୍ଷାନଗର ଦିଘିରେ ତାଙ୍କ ଶେଷକୃତ୍ୟ କରାଯିବ । ଅପରାହ୍ନରେ ସହିଦ ସରୋଜଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ବୋଲି ସୂଚନା ରହିଛି । ସେଠାରେ ସହିଦ ସରୋଜଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ସ୍ୱତନ୍ତ୍ର କରିଡରରେ ଜନ୍ମମାଟି କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପକୁ ନିଆଯିବ ବୋଲି ଜଣାପଡିଛି । ଏହାପରେ ସେଠାରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବା କାର୍ୟ୍ୟକ୍ରମ ରହିଛି।

ସୂଚନା ଥାଉକି, ସିକିମ ପ୍ରଳୟଙ୍କାରୀ ବନ୍ୟାରେ ସହୀଦ ହୋଇଛନ୍ତି ଓଡିଆ ପୁଅ ହାବିଲଦାର ସରୋଜ ଦାସ । ୨ ଦିନ ଧରି ନିଖୋଜ ରହିବା ପରେ ଭିଡିଓ କଲ ଯୋଗେ ଫଟୋ ଦେଖି ମୃତଦେହ ଚିହ୍ନଟ କରିଥିଲେ ପରିବାର ଲୋକେ । ଏହି ଭୟାବହ ବନ୍ୟାରେ ମୋଟ ୧୩ ଜଣ ଯବାନ ନିଖୋଜ ହୋଇଯାଇଥିଲେ । ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ଏହି ସମସ୍ତ ଯବାନ ଜଳସ୍ରୋତରେ ଭାସିଯାଇଥିଲେ । ସହୀଦ ହୋଇଥିବା ଏହି ଓଡ଼ିଆ ଯବାନ ସରୋଜ ଦାସଙ୍କ ଘର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ଦିଘିରେ ଗ୍ରାମରେ।

ଉକ୍ତ ଗ୍ରାମର ରାମଚନ୍ଦ୍ର ଦାସଙ୍କ ପୁଅ ସରୋଜ ଦାସ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ । ମଙ୍ଗଳବାର ରାତି ୧୦ଟା ବେଳେ ସରୋଜ ଫୋନରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ । ପ୍ରବଳ ବର୍ଷା ଯୋଗୁ ସେ ଗାଡି ଭିତରେ ରହିଥିବା କଥା ପରିବାର ଲୋକଙ୍କୁ କହିଥିଲେ । ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇପାରି ନ ଥିଲା । ସରୋଜ ପରିବାରର ସବୁଠାରୁ ସାନପୁଅ ଥିଲେ । ମାତ୍ର ୭ ମାସ ତଳେ ସେ ବିବାହ କରିଥିଲେ । ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକିମକୁ ଡ୍ୟୁଟି ପାଇଁ ଯାଇଥିଲେ । ନିକଟରେ ସିକିମରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ସେ ଦେଶସେବା କରୁଥିବା ବେଳେ ସହୀଦ ହୋଇଛନ୍ତି ।

 

Get real time updates directly on you device, subscribe now.