fbpx

ପୁରୁଷ ରେସଲିଂ ଫାଇନାଲରେ ଦୀପକ ପୁନିଆ: ପୁଣି ବଢ଼ିବ ପଦକ ସଂଖ୍ୟା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଆଜି ହେଉଛି ଚତୁର୍ଦ୍ଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୯ଟି ପଦକ ଜିତିଥିଲା । ଫଳରେ ମୋଟ ପଦକ ସଂଖ୍ୟା ୯୫ରେ ପହଞ୍ଚିଥିଲା । ସେଥିମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଓ ୩୯ଟି ବ୍ରୋଞ୍ଜ ପଦକ ସାମିଲ ଥିଲା । ତେବେ ଆଜି ମଧ୍ୟ ଭାରତ ଦମଦାର ଭାବେ ତା’ର ପଦକ ବିଜୟ ଯାତ୍ରା ଆରମ୍ଭ କରିଛି ।

ଆଜି ମୋଟ ପଦକ ସଂଖ୍ୟା ୧୦୦ରେ ପହଞ୍ଚିବା ସହିତ ଭାରତ ନୂଆ ଇତିହାସ ଲେଖିଛି । ସେଥିମଧ୍ୟରେ ୨୫ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ରହିଛି । ତେବେ ଏହା ମଧ୍ୟରେ ଭାରତ ପୁଣି ଏକ ପଦକ ପକ୍କା କରିଛି । ପୁରୁଷ ୮୬ କିଲୋଗ୍ରାମ ବର୍ଗ ରେସଲିଂରେ ଦୀପକ ପୁନିଆ ଏକ ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି । ଦୀପକ ପ୍ରତିପକ୍ଷ ଉଜବେକିସ୍ତାନର ରେସଲରଙ୍କୁ ୪-୩ରେ ପରାସ୍ତ କରିଛନ୍ତି ।

ସ୍ୱର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ଦୀପକ ଫାଇନାଲରେ ହାସନ ୟାଜଦାନୀଙ୍କୁ ଭେଟିବେ । ଏହା ପୂର୍ବରୁ ଆଜି ଭାରତୀୟ ମହିଳା କବାଡ଼ି ଦଳ ଫାଇନାଲରେ ଚାଇନିଜ୍ ତାଇପେଇକୁ ୨୬-୨୪ରେ ପରାସ୍ତ କରି ହ୍ୱାଙ୍ଗଝୁରେ ନୂଆ ଇତିହାସ ଲେଖିଥିଲା । ଭାରତ ଆର୍ଚେରୀରେ ଗୋଟିଏ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା । ବ୍ୟକ୍ତିଗତ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ ଅଭିଶେଷ ବର୍ମାଙ୍କୁ ୧୪୯-୧୪୭ରେ ପରାସ୍ତ କରିଥିଲେ । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଜିତିଥିବା ବେଳେ ଅଭିଶେକ ରୌପ୍ୟ ଜିତିଥିଲେ । ସେହିପରି ଆର୍ଚେରୀରେ ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଦକ୍ଷିଣ କୋରିଆର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିଲେ । ଆଜି ଜ୍ୟୋତି ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଅଦିତି ସ୍ୱାମୀ ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.