ପୁଣି ବିଜେଡିର ହଙ୍ଗାମା, ଗୃହ ଚଲେଇ ଦେଉନାହାଁନ୍ତି ବିରୋଧୀ, ଆସନ୍ତାକାଲି ଦିନ ୧୦ଟା ଯାଏଁ ଗୃହ ମୁଲତବି
ଗୃହ ମଧ୍ୟ ଭାଗରେ ବିଜେଡିର ନାରାବାଜି।
ଭୁବନେଶ୍ୱର: ଗୃହରେ ପୁଣି ବିଜେଡିର ହଟ୍ଟଗୋଳ। ଗୃହ ମଧ୍ୟ ଭାଗକୁ ଆସି ସରକାର ବିରୋଧରେ ନାରାବାଜି କଲା ବିଜେଡି। ସକାଳୁ ମଧ୍ୟ ଗୃହ ଆରମ୍ଭ ହେବା ପରେ ବିରୋଧୀଙ୍କ ହଙ୍ଗାମା କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।
ଆଉ ଅପରାହ୍ନରେ ଗୃହ ଆରମ୍ଭ ହେଉ ହେଉ ପୁଣି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଥିଲା ବିଜେଡି। ଯାହା ଫଳରେ ଗୃହକୁ ଆସନ୍ତାକାଲି ଦିନ ୧୦ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି।
ଏହାସହ ବାଚସ୍ପତି କହିଛନ୍ତି ଗୃହ ସ୍ୱଭାବିକ ନହେବା ଯାଏଁ କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ବିଚାର କରିହେବନାହିଁ। ସେପଟେ କଂଗ୍ରେସ ବିଧାୟକଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ଅଭିଯୋଗ ଆଣିଲେ ବିଜେପି ବିଧାୟକ।
ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଅଭିଯୋଗ କରିଛନ୍ତି ଯେ ଅନାସ୍ଥା ଆସିବା ପୂର୍ବରୁ କଂଗ୍ରେସ ଗଣମାଧ୍ୟମରେ ଅନାସ୍ଥାକୁ ନେଇ ବିବୃତି ଦେବା ସ୍ୱାଧୀକାର ଭଙ୍ଗ କରିଛି।
ତେବେ ଆମେ ଯଦି ଗୃହର ଅଚଳାବସ୍ଥା ସମ୍ପର୍କରେ ଆଲୋଚନା କରିବା, ତେବେ ଏହା ପ୍ରଥମ ଥର ନୁହେଁ ଯେ ଗୃହ ମୁଲତବି ରହିଛି। ପ୍ରାୟ ସବୁ ଅଧିବେଶନ ବେଳେ ଏହିପରି ପରିସ୍ଥିତି ଦେଖିବାକୁ ମିଳେ।
ଆଉ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ପ୍ରସଙ୍ଗ ଉଠାଇ ବିରୋଧୀ ଗୃହରେ ହଟ୍ଟଗୋଳ କରନ୍ତି। ହେଲେ ସବୁଠାରୁ ବଡ଼ କଥା ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଏହି ଦୃଶ୍ୟ ଅଧିକ ଦେଖିବାକୁ ମିଳୁଛି।
ଅର୍ଥାତ୍ ବିଜେପି ରାଜ୍ୟରେ ଶାସନ ଭାର ନେବା ପରଠାରୁ ଏବଂ ଯେତେବେଳେ ବି ଅଧିବେଶନ ଆରମ୍ଭ ହେଉଛି ବିରୋଧୀ ସରକାରଙ୍କ ବିରୋଧରେ ଗୃହରେ ନାରାବାଜି କରୁଛନ୍ତି। ଆଉ ବାଧ୍ୟ ହୋଇ ବାଚସ୍ପତିଙ୍କୁ ଗୃହକୁ ମୁଲତବି ରଖିବାକୁ ପଡୁଛି।