ସିକ୍ରେଟ୍ କ୍ୟାମେରାରେ ମହିଳାଙ୍କ ଭିଡ଼ିଓ କରୁଥିଲେ ପାଇଲଟ୍, ଧରାପଡ଼ିବା ପରେ କହିଲେ ଏମିତି…

"ମୁଁ ମୋ ନିଜ ଖୁସି ପାଇଁ କରୁଥିଲି ଭିଡ଼ିଓ"।

ନୂଆଦିଲ୍ଲୀ: ପାଇଲଟ୍ ଙ୍କ ଘୃଣ୍ୟକାମ। ସ୍ପାଏ କ୍ୟାମେରାରେ କରୁଥିଲେ ମହିଳାଙ୍କ ଭିଡ଼ିଓ ସୁଟ୍। ଧରାପଡିବା ପରେ ପଶ୍ଚାତାପ କରିବା ପରିବର୍ତ୍ତେ କହିଲେ ମୁଁ ମୋ ଖୁସି ପାଇଁ ଭିଡ଼ିଓ କରୁଥିଲେ।

ଯାହାପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଅଭିଯୁକ୍ତ ପାଇଲଟକୁ ଗିରଫ କରିଛି ପୋଲିସ। ଏହାସହ ଅଭିଯୁକ୍ତ ପାଖରୁ ଏକ ଲାଇଟର ଆକୃତିର ସ୍ପାଏ କ୍ୟାମେରା ଜବତ କରିଛି ପୋଲିସ। ଉକ୍ତ ବ୍ୟକ୍ତିକୁ ପଚରାଉଚରା ସମୟରେ ସେ ତାଙ୍କ ଅପରାଧ ସ୍ୱୀକାର କରିଛନ୍ତି।

ପୂରା ଘଟଣା କ’ଣ: ପୋଲିସ କହିବା ଅନୁଯାୟୀ, ଅଭିଯୋଗକାରୀ ମହିଳା ପୋଲିସକୁ କହିଛନ୍ତି ଯେ ଅଗଷ୍ଟ ୩୦ ତାରିଖ ରାତି ପ୍ରାୟ ୧୦.୨୦ ସମୟରେ ସେ ଦିଲ୍ଲୀର କିଶନଗଡ଼ ଗାଁର ଶନି ବଜାରରେ ଥିଲେ।

ସେହି ସମୟରେ ସେ ଜଣେ ବ୍ୟକ୍ତିଙ୍କୁ ଲାଇଟର ଭଳି ଏକ ଡିଭାଇସ୍ ସାହାଯ୍ୟରେ ତାଙ୍କର ଏକ ଆପତ୍ତିଜନକ ଭିଡିଓ ତିଆରି କରୁଥିବାର ଦେଖିବାକୁ ପାଇଥିଲେ। ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସ୍ପାଏ କ୍ୟାମେରା ଉଦ୍ଧାର: ଦିଲ୍ଲୀ ପୋଲିସର କିଶନଗଡ଼ ଥାନା ଦକ୍ଷିଣ ପଶ୍ଚିମ ଜିଲ୍ଲା ପୋଲିସ ଏକ ଦୁଷ୍କର୍ମ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ୩୧ ବର୍ଷୀୟ ମୋହିତ ପ୍ରିୟଦର୍ଶୀ ଭାବରେ ଚିହ୍ନଟ କରାଯାଇଛି।

ସେ ଆଗ୍ରା (ୟୁପି)ର ସିଭିଲ ଲାଇନ୍ସରେ ରୁହନ୍ତି। ସେ ଏକ ଘରୋଇ ଏୟାରଲାଇନ୍ସରେ ପାଇଲଟ୍ ଭାବରେ କାର୍ଯ୍ୟ କରନ୍ତି। ପୋଲିସ ତାଙ୍କଠାରୁ ଲାଇଟର ଆକୃତିର ଏକ ଗୁପ୍ତ ସ୍ପାଏ କ୍ୟାମେରା ମଧ୍ୟ ଜବତ କରିଛି।

ପାଇଲଟ୍ ଏପରି କାମ କାହିଁକି କଲେ: ସିସିଟିଭି ଫୁଟେଜ୍ ସ୍କାନ କରିବା ପରେ ସ୍ଥାନୀୟ ସୂଚନାଦାତାଙ୍କ ସହାୟତାରେ ପୋଲିସ ଟିମ୍ ଅଭିଯୁକ୍ତକୁ ଧରିଥିଲା। ପଚରାଉଚରା ସମୟରେ ସେ ନିଜର ଅପରାଧ ସ୍ୱୀକାର କରିଥିଲା।

ପୋଲିସ ଅନୁଯାୟୀ, ଅଭିଯୁକ୍ତ ଅବିବାହିତ ଏବଂ ସେ ସ୍ୱୀକାର କରିଥିଲା ​​ଯେ ସେ ନିଜର ବ୍ୟକ୍ତିଗତ ସନ୍ତୋଷ ପାଇଁ ଏପରି ଭିଡିଓ ତିଆରି କରୁଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି। ପୋଲିସ କିଶନଗଡ଼ ଥାନାରେ ଧାରା ୭୭/୭୮ BNS ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।