fbpx

ଗୁପ୍‌ଚୁପ୍ ଖାଇ ଟଙ୍କା ନ ଦେବାରୁ ତଣ୍ଟି କାଟିଦେଲେ ଦୋକାନୀ

କଟକ(ଓଡ଼ିଶା ଭାସ୍କର): ଗୁପ୍‌ଚୁପ୍ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକଙ୍କ ତଣ୍ଟି କାଟିଦେଲେ ଦୋକାନୀ । ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ ବୁଧବାର ରାତିରେ ଘଟିଛି ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମୃତକ ହେଲେ ବିଭୂତି ସାହୁ (୨୫)। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଗୁପ୍‌ଚୁପ୍‌ ବ୍ୟବସାୟୀ ଜଗନ୍ନାଥ ସାହୁ ଓରଫ ଯୋଗିଆ (୩୮) ଙ୍କୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଜଗନ୍ନାଥ ଗ୍ରାମରେ ଗୁପ୍‌ଚୁପ୍‌ ବ୍ୟବସାୟ କରନ୍ତି। ଉକ୍ତ ଗ୍ରାମର ବିଭୂତି ନିଶାସକ୍ତ ଅବସ୍ଥାରେ ରାତି ପ୍ରାୟ ୮ଟାରେ ତାଙ୍କ ଠେଲା ନିକଟକୁ ଆସି ଗୁପ୍‌ଚୁପ୍ ଖାଇଥିଲେ।

ତେବେ ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ଉଗ୍ରରୂପ ନେଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଜଗନ୍ନାଥ ପିଆଜ କଟାଯାଉଥିବା ଛୁରିରେ ବିଭୂତିଙ୍କ ତଣ୍ଟି କାଟି ଦେଇଥିଲେ। ଫଳରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିବା ପରଜଙ୍ଗ ଥାନାଧ୍ଵକାରୀ ସୌଭାଗ୍ୟ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସାମାନ୍ୟ ଗୁପ୍‌ଚୁପ୍ ଟଙ୍କାକୁ ନେଇ ଏଭଳି ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.