fbpx

ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି, ପୁଣି ଲାଗୁହେଲା ମହାମାରୀ ଆଇନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ପୁଣିଥରେ ମହାମାରୀ ଆଇନ ଶନିବାର ଲାଗୁ କରିଛନ୍ତି। କୋଭିଡ୍ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖ୍ ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଏହାକୁ ମହାମାରୀ ଭାବେ ରାଜ୍ୟ ସରକାର ଘୋଷଣା କରିଥିଲେ। ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଗତ ମାର୍ଚ୍ଚ ୨୮ରେ ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ରୁ କୋଭିଡ୍’କୁ ମହାମାରୀରୁ ବାଦ୍ ଦେବା ନେଇ ବିଜ୍ଞପ୍ତି ଜାରି କରିଥିଲେ।

ସ୍ବାସ୍ଥ୍ୟ ବିଭାଗରୁ ମିଳୁଥିବା ସୂଚନାନୁସାରେ, ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରେ ଖୋର୍ଦ୍ଧାରୁ ୨୭ଜଣ ହୋଇଥିବା ବେଳେ ପୁରୀରୁ ୩ , କଟକରୁ ଓ ରାଜ୍ୟ ପୁଲ୍‌ରୁ ୬ଜଣ ରହିଛନ୍ତି ରାଜ୍ୟରେ ଏବେ ୨୦୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୋଭିଡ୍ ସଂକ୍ରାନ୍ତ ମାନବସମ୍ବଳ ବାବଦ ଖର୍ଚ୍ଚକୁ ପବ୍ଲିକ ହେଲଥ ରେସପନ୍ସ ଫଣ୍ଡ (ପିଏଚ୍ଆର୍‌ଏଫ୍) ରୁ ତୁଲାଇବାକୁ ଜିଲାପାଳମାନଙ୍କୁ କୁହାଯାଇଛି। ଓଡ଼ିଶା ରାଜ୍ୟ ଔଷଧ ନିଗମ ପ୍ରତିମାସରେ ନିଜର ଚେନ୍ ମାଧ୍ୟମରେ ଜିଲାଗୁଡ଼ିକୁ ରାପିଡ୍ ଆଣ୍ଟିଜେନ୍ କିଟ୍ , ଭିଟିଏମ୍ ଓ ଆର୍‌ଟିପିସିଆର୍ କିଟ୍ ଯୋଗାଣ ସୁନିଶ୍ଚିତ କରିବେ।

ଜିଲାଗୁଡ଼ିକରେ ସଂକ୍ରମଣ ମାମଲା ବୃଦ୍ଧି ପାଇବାର ଆଶଙ୍କାକୁ ଦୃଷ୍ଟିରେ ରଖି ଆଇସିଏମ୍ଆର୍ ଗାଇଡଲାଇନ୍ ଅନୁସାରେ ଆବଶ୍ୟକ ସଂଖ୍ୟକ ଟେଷ୍ଟ କରିବାକୁ କୁହାଯାଇଛି। ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଓ ଆର୍‌ଟିପିସିଆର୍ ଟେଷ୍ଟ ନିମନ୍ତେ ସ୍ବାବ ସଂଗ୍ରହର ସୁବିଧା ସହ ଏ ନେଇ କର୍ମଚାରୀଙ୍କୁ ପ୍ରଶିକ୍ଷିତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାସ୍ତରରେ ସମସ୍ତ କୋଭିଡ୍ ସଂକ୍ରାନ୍ତ ତଥ୍ୟ ଅନ୍‌ଲାଇନରେ ଅପଲୋଡ୍ ଜାରି ରଖିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗର କୋଭିଡ୍ ସଂକ୍ରାନ୍ତ ଦୈନିକ ଟୁଇଟ୍ ଓ ପ୍ରେସ୍ ନୋଟ୍ ଜାରି ରହିବ। ଗାଇଡଲାଇନ୍ ଅନୁସାରେ କୋଭିଡ୍ ମୃତ୍ୟୁ ଅଡିଟ୍ ଜାରି ରଖିବା ସହିତ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାମାରୀ ଆଇନ ବଳବତ୍ତର ରହିବା ନେଇ ସ୍ବାସ୍ଥ୍ୟ ବିଭାଗ ତା’ର ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି।

Get real time updates directly on you device, subscribe now.