fbpx

ଓଡ଼ିଶାର ସରକାରୀ ମହାବିଦ୍ୟାଳୟରେ ୧୦୩୬ ଅଧ୍ୟାପକ ପଦବୀ ଖାଲି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ଯୋଗୁଁ ଏହାର ମାତ୍ରା ଆହୁରି ବଢ଼ିଯାଇଛି । କିନ୍ତୁ ଏବେ ବି ରାଜ୍ୟର ସରକାରୀ ମହାବିଦ୍ୟାଳୟରେ ୧୦୩୬ ଅଧ୍ୟାପକ ପଦବୀ ଖାଲି ରହିଛି । ଏନେଇ ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ରାଜ୍ୟରେ ଥିବା ଯୁକ୍ତ ତିନି କଲେଜଗୁଡ଼ିକରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବୀଗୁଡ଼ିକ ଖୁବଶୀଘ୍ର ପୂରଣ କରାଯିବ । ନିକଟରେ ୯୦୦ରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଚଳିତ ବର୍ଷ ଆଉ ୩ ହଜାର ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ । ୨୦୨୨-୨୩ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ବିଏଡ କଲେଗୁଡ଼ିକରେ ପାଖାପାଖି ୪୦୦ ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଥିବା ଉଚ୍ଚଶିକ୍ଷା ବିଭାଗର ଜଣେ ବରଷ୍ଠ ଅଧିକାରୀ କହିଥିଲେ ।

ଓଡ଼ିଆ, ଇତିହାସ ଓ ହିନ୍ଦୀ ବିଷୟରେ ୪୭୬ଟି ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ନିକଟରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପ୍ରକ୍ରିୟା ଠିକଭାବେ ଜାରି ରହିଲେ ଆସନ୍ତା ସେପ୍ଟେମ୍ବର ମାସ ସୁଦ୍ଧା ନୂତନ ଅଧ୍ୟାପକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ଏଥିସହିତ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱାରୋପ କରିଛି । ବିଭିନ୍ନ ବର୍ଗରେ ଖାଲି ପଡ଼ିଥିବା ପ୍ରଫେସର ପଦବୀ ପୂରଣ ନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)କୁ ଚିଠି ଲେଖାଯିବ ।

Get real time updates directly on you device, subscribe now.