fbpx

ବିବାହ ପାଇଁ ପୁରୋହିତଙ୍କର ଆବଶ୍ୟକତା ନାହିଁ, ଜାଣନ୍ତୁ କେଉଁ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଦେଲେ ଏପରି ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଏକ ମାମଲାକୁ ନେଇ ନୂଆ ଆଦେଶ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ, ଅଜଣା ଲୋକଙ୍କ ସାମ୍ନାରେ ଲୁଚିକରି ବିବାହ କରିବା ବୈଧ ନୁହେଁ । ଏହି ଶୁଣାଣିରେ ସୁପ୍ରିମକୋର୍ଟ ସ୍ପଷ୍ଟ କରି କହିଛନ୍ତି ଯେ, ବିବାହ ଏକ ସାଧାରଣ ସମାରୋହ ମାଧ୍ୟମରେ କରାଯାଇପାରିବ । ଯେଉଁଥିରେ ବର ଏବଂ କନ୍ୟା ଓକିଲଙ୍କ ଚାମ୍ବରରେ ଫୁଲ ମାଳା ଏବଂ ମୁଦୀ ପିନ୍ଧାଇପାରିବେ । ଦୁଇଜଣ ଦୁଇଜଣଙ୍କୁ ସ୍ୱୀକାର କରିବା ପାଇଁ ଯେକୌଣସି ଭାଷା, ପ୍ରଥା ଏବଂ ରୀତିନୀତି ଆପଣେଇ ପାରିବେ, ଏହା ସାମାଜିକ ଏବଂ ଆଇନ ଦୃଷ୍ଟିରେ ବୈଧ ଅଟେ ।

ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ ଏବଂ ଅରବିନ୍ଦ କୁମାରଙ୍କ ଏକ ବେଞ୍ଚ କହିଛନ୍ତି ଯେ, ବିବାହ ଆଇନର ଧାରା ୭ (କ) ଅନୁଯାୟୀ, ଆଇନଜୀବୀ, ବନ୍ଧୁ, ସମ୍ପର୍କୀୟ, ସାମାଜିକ କର୍ମୀଙ୍କ ନିକଟରେ ବିବାହ କରିପାରିବେ। ସୁପ୍ରିମକୋର୍ଟରେ ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ନିଷ୍ପତ୍ତି ମଧ୍ୟ ୧୯୬୭ ମସିହାରୁ ତାମିଲନାଡୁରେ ପ୍ରଚଳିତ ଆତ୍ମ ସମ୍ମାନଜନକ ବିବାହ ଆଇନ ଉପରେ ସ୍ୱୀକୃତି ପ୍ରଦାନ କରିଛି।

ଧାରା ୭-ଏ ଅନୁଯାୟୀ, ସମ୍ପର୍କୀୟ, ବନ୍ଧୁ କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଦୁଇ ହିନ୍ଦୁଙ୍କ ମଧ୍ୟରେ କୌଣସି ବିବାହ ବୈଧ ଅଟେ। ଏକ ବୈଧ ବିବାହ ପାଇଁ ପୁରୋହିତଙ୍କ ଉପସ୍ଥିତି ଆବଶ୍ୟକ ନୁହେଁ ବୋଲି ବ୍ୟବସ୍ଥାରେ ଜୋର ଦିଆଯାଇଛି। ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ମେ’ ୫, ୨୦୨୩ ରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ ଯେଉଁଥିରେ ନାବାଳିକାଙ୍କ ବିବାହର ବ୍ୟବସ୍ଥା କରିଥିବା ଓକିଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ବେଞ୍ଚ ଏହା ମଧ୍ୟ କହିଛନ୍ତି ଯେ, ସାମାଜିକ ବିରୋଧ କିମ୍ବା ବିପଦ କାରଣରୁ ନିଜ ବିବାହକୁ ଗୁପ୍ତ ରଖିବାକୁ ଚାହୁଁଥିବା ଏହି ଦମ୍ପତିଙ୍କୁ ଏହି ଆଇନ ସାହାଯ୍ୟ କରିପାରିବ। ବିବାହ ପାଇଁ ଏକ ସମାରୋହ କରିବା, ନିର୍ଦ୍ଦିଷ୍ଟ ରୀତିନୀତି ସମାପ୍ତ କରିବା କିମ୍ବା ବିବାହର ସର୍ବସାଧାରଣ ଘୋଷଣା କରିବା ଆବଶ୍ୟକ ନୁହେଁ।

Get real time updates directly on you device, subscribe now.